ବାହାନଗା ଟ୍ରେନ ଦୁର୍ଘଟଣା : ଷ୍ଟେସନ ମାଷ୍ଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାଲେଶ୍ବର (ସଂକେତ୍ ଟିଭି) ବାହନାଗା ରେଳ ଦୁର୍ଘଟଣାରେ ସିବିଆଇ ଷ୍ଟେସନ ମାଷ୍ଟର, ଜଣେ ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କୁ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ସିବିଆଇ ଟିମ୍‌‌ ଏକ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ସିବିଆଇ ଟିମ୍‌‌ ତଦନ୍ତ ପରେ ଜାଣିପାରିଛି ଯେ ଷ୍ଟେସନମାଷ୍ଟର ସିଗ୍‌ନାଲ ତ୍ରୁଟି ଥିବା ନେଇ ଜାଣିବା ପରେ ଦୁର୍ଘଟଣା ଦିନ ସକାଳ ୧୦ଟା ସମୟରେ ସମ୍ପୃକ୍ତ ଟେକ୍ନିସିଆନଙ୍କୁ ଡାକିଥିଲେ। ଉକ୍ତ ଟେକ୍ନିସିଆନ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଷ୍ଟେସନ ମାଷ୍ଟର ବାରମ୍ଭାର ଫୋନ୍‌‌ କରିଥିଲେ। ଏପରିକି ଟ୍ରେନ୍‌‌ ଯିବ ବୋଲି ଅସ୍ଥାୟୀଭାବେ ଠିକ୍‌‌ କରି ଦେବାକୁ କହିଥିଲେ। ବାଧ୍ୟ ହୋଇ ଟେକ୍ନିସିଆନ ଦିନ ୧୧ଟାରେ ଯାଇ ଅସ୍ଥାୟୀଭାବେ ସିଗ୍‌‌ନାଲ ସିଷ୍ଟମ୍‌‌କୁ ଠିକ୍‌‌ କରି ଦେଇ ଆସିଥିଲେ। ହେଲେ ପରେ ଏହା ସଠିକ୍‌‌ ଭାବେ କାମ କରୁଥିଲା କି ନାହିଁ ତାହା ଷ୍ଟେସନମାଷ୍ଟର ଯାଞ୍ଚ କରିନଥିଲେ। କିନ୍ତୁ ସନ୍ଧ୍ୟାରେ ଏହି ସିଗ୍‌‌ନାଲ ସିଷ୍ଟମରେ ଗଡ଼ବଡି ପୁନଃ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତରୁ ଜାଣିବାକୁ ପାଇଛି। ଯେଉଁଥି ପାଇଁ କରମଣ୍ଡଳ ଏକ୍ସପ୍ରେସ୍‌ ମେନ୍‌‌ ଲାଇନ୍‌‌ରେ ନଯାଇ ଲୁପ ଲାଇନ୍‌‌ ଭିତରକୁ ପଶିଯାଇଥିଲା।

ଅନ୍ୟପଟରେ ସିବିଆଇ ମଗାଇଥିବା ଷ୍ଟେସନ ମାଷ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ସିଡିଆର ରିପୋର୍ଟ ଏବଂ ସୋସିଆଲ ମିଡିଆ ରିପୋର୍ଟ ସିବିଆଇର ହସ୍ତଗତ ହୋଇଛି। ଏହି ରିପୋର୍ଟ ଆଧାରରେ ମଧ୍ୟ ସିବିଆଇ ତଦନ୍ତ ଜାରି ରଖିଛି । ଘଟଣା ଦିନ ଷ୍ଟେସନ ମାଷ୍ଟର ସିଗ୍‌‌ନାଲ ସିଷ୍ଟମ ଠିକ୍‌‌ କରିବାକୁ ଡାକିଥିବା ଟେକ୍ନିସିଆନକୁ ଡାକିଥିବା ସିଡିଆର ରିପୋର୍ଟରେ ରହିଛି।