ଋଣ ଭାରରେ ବୁଡିଲାଣି ଦେଶ, ୯ ବର୍ଷରେ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ (ସଂକେତ୍ ଟିଭି) ଦେଶର ଆର୍ଥିକ ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ବର୍ଷିଛି । ଗତ ୯ ବର୍ଷ ମଧ୍ୟରେ ଦେଶ ଋଣ ଭାରରେ ବୁଡି ଯାଇଛି । ଏଥିଲାଗି ଶେ୍ୱତପତ୍ର ପ୍ରକାଶ ପାଇଁ କଂଗ୍ରେସ ଦାବି କରିଛି । ୨୦୧୪ରେ ଦେଶର ଋଣ ଭାର ୫୫ ଲକ୍ଷ କୋଟି ଥିଲା । ୯ ବର୍ଷ ପରେ ଏହା ୧୫୫ ଲକ୍ଷ କୋଟିରେ ପହଞ୍ଚିଛି । ଋଣ ଭାର ଜିଡିପି ଅନୁପାତରେ ୮୪% ହୋଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ସିନେଟ୍‌ କହିଛନ୍ତି ଯେ ୨୦୧୪ ଯାଏ ଯେତିକି ଋଣ ଭାର ଥିଲା ଏବେ ତାହା ବହୁଗୁଣ ବଢ଼ିଛି । ୬୭ ବର୍ଷରେ ଦେଶରେ ୧୪ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରିଛନ୍ତି । ସେତେବେଳେ ମୋଟ୍‌ ଋଣ ଭାର
୫୫ ଲକ୍ଷ କୋଟି ଥିଲା । ହେଲେ ଏକମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟରେ ଏହା ୧୦୦ ଲକ୍ଷ କୋଟି ୯ ବର୍ଷରେ ଋଣ ହୋଇଛି । ଗଣମାଧ୍ୟମର ହେଡ୍‌ଲାଇନ୍ସକୁ ପରିଚାଳନା କଲେ ଅର୍ଥନୀତି ପରିଚାଳନା ହୁଏନାହିଁ । ଦକ୍ଷ ଆର୍ଥିକ ପରିଚାଳନା ଦ୍ୱାରା ଏହା କରାଯାଇଥାଏ । ଭାରତରେ ଏବେ ଯେଉଁ ଶିଶୁ ଜନ୍ମ ହେବ ତା’ର ମୁଣ୍ଡରେ ୧.୨ ଲକ୍ଷ ଟଙ୍କା ଋଣ ଭାର ରହିବ । ପ୍ରତିବର୍ଷ ଦେଶ ୧୧ ଲକ୍ଷ କୋଟି ଖର୍ଚ୍ଚ କରୁଛି ବୋଲି କୁହାଯାଉଛି ।

ଭାରତର ଋଣ ଭାର ଜିଡିପି ଅନୁପାତରେ ୮୪% ହୋଇସାରିଲାଣି । ଯାହା ଏକ ଚିନ୍ତାଜନକ ସ୍ଥିତି । ଅନ୍ୟ ବିକାଶଶୀଳ ଓ ବଜାରର ବୃଦ୍ଧି ଅର୍ଥନୀତି କରୁଥିବା ତୁଳନାରେ ଅନ୍ୟ ରାଷ୍ଟ୍ରଗୁଡିକରେ ଋଣ ଭାର ଜିଡିପି ଅନୁପାତର ୬୪.୫% ହାରାହାର ରହିବା କଥା । ଦେଶ ଏବେ ୧୧ ଲକ୍ଷ କୋଟି ସେବା ବାବଦରେ ଖର୍ଚ୍ଚ କରୁଛି । ମାତ୍ର ଏବେ ଋଣ କରି ସେବା ଯୋଗାଇବା ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ସିଏଜି ରିପୋର୍ଟ ଅନୁଯାୟୀ ୨୦୧୯-୨୦ରେ ମୋଟ୍‌ ଜିଡିପିର ଋଣ ଭାର ୫୨.୫% ଥିଲା । ଏବେ ଏହା ୮୪%ରେ ପହଞ୍ଚିଛି । ଏହି ଋଣର ଫାଇଦା ଗରିବ ଓ ମଧ୍ୟବିତ୍ତଙ୍କ ପାଖରେ ପହଞ୍ଚୁନାହିଁ । କେବଳ କେତେକ ନିର୍ଦ୍ଦିଷ୍ଟ କୋଟିପତି ଲାଭବାନ ହେଉଛନ୍ତି ।

ସେ କହିଥିଲେ ଯେ ଦାରିଦ୍ର୍ୟ ସୀମାରେଖା ତଳେ ଏବେବି ୨୩ କୋଟି ଦେଶବାସୀ ରହିଛନ୍ତି । କିନ୍ତୁ ୨୦୨୦ରେ ଦେଶରେ ୧୦୨ ଧନୀଶାଳୀ ବ୍ୟକ୍ତି ଥିବାବେଳେ ୨୦୨୨କୁ ଏମାନଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଲାଣି । ଜିଏସ୍‌ଟି ଆଦାୟ କଥା କୁହାଯାଉଛି । ଜିଏସ୍‌ଟି କେବଳ ନିମ୍ନ ଓ ମଧ୍ୟବିତ୍ତଶ୍ରେଣୀ ଠାରୁ ଆଦାୟ କରାଯାଉଛି । ଦେଶର ୫୦% ଲୋକ ସର୍ବାଗ୍ରେ ଅଛନ୍ତି । ସେମାନେ ୩% ଦେଶକୁ ଦେଉଛନ୍ତି ।

ଅପରପକ୍ଷରେ ମଧ୍ୟବିତ୍ତ ବର୍ଗ ୪୦% ଜିଏସ୍‌ଟି ଦେଉଛନ୍ତି । ଯଦି ଋଣ ଓ ଜିଡିପି ଅନୁପାତ ୬୦ ରୁ ୬୧% ନରୁହେ ତେବେ ଲୋକଙ୍କର ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡିବ । ଲୋକମାନେ କିଣିବାର କ୍ଷମତା ହରାଇ ବସିବେ । ଯାହା ଦେଶର ଅର୍ଥନୀତି ପାଇଁ ଠିକ୍‌ ନୁହେଁ । ରନ୍ଧନ ଗ୍ୟାସ୍‌, ପେଟ୍ରୋଲ ଓ ଡିଜେଲ ସମ୍ପର୍କରେ ସେ କହିଥିଲେ ଯେ ସମଗ୍ର ବିଶ୍ୱରେ ଭାରତରେ ଗ୍ୟାସ୍‌ର ମୂଲ୍ୟ ସର୍ବାଧିକ । ପେଟ୍ରୋଲ ମୂଲ୍ୟରେ ଆମେ ବିଶ୍ୱରେ ତୃତୀୟ ହୋଇଥିବାବେଳେ ଡିଜେଲ ମୂଲ୍ୟରେ ଆମେ ବିଶ୍ୱର ଅଷ୍ଟମ ସ୍ଥାନରେ ରହିଛୁ । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଉଥିଲେ ହେଁ ଏହାର ସୁବିଧା ଜନସାଧାରଣ ପାଉନାହାନ୍ତି । ସରକାର ତୈଳ ଦର ହ୍ରାସ କରୁନାହାନ୍ତି ବୋଲି ସେ କହିଛନ୍ତି ।