ବାହାନଗା ରେଳ ଦୁର୍ଘଟଣା: ଦଶାହରେ ମୁଣ୍ଡନ ହେଲେ ଶତାଧିକ ଲୋକ

ବାଲେଶ୍ବର (ସଂକେତ୍ ଟିଭି) ବାହାନଗା ରେଳ ଦୁର୍ଘଟଣାକୁ ଦଶ ଦିନ ପୁରିଥିବାବେଳେ ହିନ୍ଦୁ ଧର୍ମ ଅନୁସାରେ ଆଜି ମୃତକଙ୍କ ପାଇଁ ବାହାନଗା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଦଶାହ କର୍ମ ଅନୁଷ୍ଠିତ ହୋଇଛି। ଏଥିରେ ଶତାଧିକ ଲୋକ ମୁଣ୍ଡନ ହୋଇଛନ୍ତି।

ସେପଟେ ୧୨ ତାରିଖ ସୋମବାର ସକାଳ ୫ ଟାରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟ ପ୍ରହର ନାମଯଜ୍ଞ, ୯ଟାରେ ଅଖଣ୍ଡ ଗାୟତ୍ରୀ ଯଜ୍ଞ, ୧୦ ଟାରେ ସର୍ବଧର୍ମ ପ୍ରାର୍ଥନା ସଭା, ଶ୍ରଦ୍ଧାଞ୍ଜଳି, ସାମୂହିକ ବେଦପାଠ ଓ ଦୀପଦାନ ଆଦି କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରସାଦସେବନ ଲାଗି ବ୍ୟବସ୍ଥା ହୋଇଛି।

ସେହିପରି ୧୩ ତାରିଖ ମଙ୍ଗଳବାର ଦିନ ସକାଳ ୫ଟାରେ ଶୋଭାଯାତ୍ରା, ୬ଟାରେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ,୧୧ ଟାରେ ସାମୂହିକ ପ୍ରସାଦସେବନ ଲାଗି ବ୍ୟବସ୍ଥା ରହିଥିବା ବେଳେ ଅପରାହ୍‌ଣ ୩ ଟାରେ ବିଷ୍ଣୁପୁର ଋତୁମ୍ଭରା ଆନ୍ତର୍ଜାତିକ ସଂଘ ତରଫରୁ ୫୦୦୮ ଦୀପଦାନ ଏବଂ ଅମୃତଧାରା ସତ୍‌ସଙ୍ଗ ସମାରୋହ ପାଳିତ ହେବ ବୋଲି ସୂଚନା ମିଳିଛି।

ବାହାନଗା ରେଳ ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ସ୍ଥାନୀୟ ଲୋକେ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।