ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର (ସଂକେତ୍ ଟିଭି) କେରଳରେ ମୌସୁମୀ ସମ୍ପୂର୍ଣ୍ଣ ଛୁଇଁସାରିଛି । ମୌସୁମୀ ଅଗ୍ରସର ପାଇଁ ପାଗ ପୂରା ଅନୁକୂଳ ରହିଛି । ଓଡ଼ିଶାକୁ ଆସନ୍ତା ୧୫ରୁ ୨୦ ତାରିଖ ଭିତରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି । ସେପଟେ ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଜନଜୀବନ ଅସ୍ତବ୍ୟସ୍ତ କରୁଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ୧୫ ତାରିଖ କିମ୍ବା ତା’ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ତେବେ ନିର୍ଦ୍ଦିଷ୍ଟ ଭାବେ କେବେ ଓଡ଼ିଶା ଛୁଇଁବ ଏଯାଏ ଜଣାପଡ଼ିନାହିଁ । ଓଡ଼ିଶାକୁ ୧୨ ସୁଦ୍ଧା ମୌସୁମୀ ଆସିଥାଏ । ଏଥର କିନ୍ତୁ ବିଳମ୍ବ ହୋଇଛି । କେବେ ଓଡ଼ିଶା ଆସିବ ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ । ତେବେ ୧୪ କିମ୍ବା ତା’ ପରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା କିମ୍ବା ତା’ଠୁ ଅଧିକ ବର୍ଷା ହୋଇପାରେ । ଚଳିତବର୍ଷ ମୌସୁମୀ ୭ ଦିନ
ବିଳମ୍ବରେ କେରଳ ଉପକୂଳରେ ପହଞ୍ଚିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ମଧ୍ୟ ପହଞ୍ଚି ସାରିଛି । ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ମଧ୍ୟ ମୌସୁମୀ ବାୟୁ ଛୁଇଁଛି ।

ପ୍ରତି ବର୍ଷ ଜୁନ୍‌ ମାସରେ ମୌସୁମୀ ଆସିଥାଏ । ଏଥିପାଇଁ ବାୟୁମଣ୍ଡଳରେ ଆଦ୍ରତା ବଢ଼ିଥାଏ । ଏହି କାରଣରୁ ଅଧିକ ଗୁଳୁଗୁଳି ହୋଇଥାଏ । ଏବର୍ଷ ଅଧିକ ଗୁଳୁଗୁଳି ହେବା ନୂଆ କଥା ନୁହେଁ, ପ୍ରତିବର୍ଷ ଏପରି ହୋଇଥାଏ । ମୌସୁମୀ ଆସିବା ପରେ ତାପମାତ୍ରାର ପରିବର୍ତ୍ତନ ହୋଇଥାଏ ବୋଲି ସେ କହିଛନ୍ତି ।

ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବାବେଳେ ୩ରୁ ୪ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଉପକୂଳରେ ଗୁଳୁଗୁଳି ଜାରି ରହିବ । କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧିକ ରହିବା ସମ୍ଭାବନା ରହିଛି ।