ଟାଟା ଷ୍ଟିଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍ : ୧୯ ଗୁରୁତର

ଢେଙ୍କାନାଳ (ସଂକେତ୍ ଟିଭି) ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ୧୯ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କାରଖାନାର ପାୱାର ପ୍ଲାଣ୍ଟ ବ୍ଲାଷ୍ଟ ଫର୍ଣ୍ଣେସର ପାଇପ୍ ଲାଇନ୍ ଫାଟିଯାଇଥିବା ସୂଚନା ମିଳିଛି । ଫଳରେ ଗ୍ୟାସ୍ ଲିକ୍ ହୋଇ ୧୯ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧ଟା ବେଳକୁ ଟାଟା ଷ୍ଟିଲ ପ୍ଲାଣ୍ଟର ବିଏଫ୍‌ ପାୱାର ପ୍ଲାଣ୍ଟ-୨ ନିକଟରେ ଷ୍ଟିମ ଲାଇନ ନିକଟରେ ବିସ୍ପୋରଣ ଘଟି ୧୯ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନଙ୍କୁ ପ୍ରଥମେ ଟାଟା ଷ୍ଟିଲ ଫାଷ୍ଟ ଏଡ଼ ଚିକିତ୍ସାଲୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

କଂପାନି ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାକୁ ଆମେ ଗୁରୁତର ସହିତ ନେଇଛୁ। ଘଟଣାର ତଦନ୍ତ କରୁଛି। ଆମେ ସୁରକ୍ଷାକୁ ଗୁରୁତ୍ବ ଦେଉଛୁ। ଏହି ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି।