ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
ଭୁବନେଶ୍ବର (ସଂକେତ୍ ଟିଭି) ଓଡ଼ିଶାରେ ହେଉଥିବା ଘନଘନ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ଚରମ ନିର୍ଦଶନ। ଓଡ଼ିଶାରେ ଦୀପ ତଳ ଅନ୍ଧାର ଭଳି ଅବସ୍ଥା। ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ, କିନ୍ତୁ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି ବୋଲି ସେ କହିଛନ୍ତି । ଏତେ କୋଇଲା ଆଉ ଜଳ ଥିବା ପରେ ବି ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି କିଛି ଦିନ ହେଲା ବିଚିତ୍ର କଥା ଦେଖିବାକୁ ମିଳୁଛି । ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ବକ୍ତବ୍ୟ ଶୁଣିବାକୁ ମିଳୁଛି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ ।
ସେ କହିଛନ୍ତି ଓଡ଼ିଶାରେ ଗଭର୍ଣ୍ଣାସ୍ ଡେଫିଶିଟ ହୋଇସାରିଲାଣି । ଏଠିକାର ଶାସକ ଦଳର ନିର୍ବାଚିତ ପ୍ରତିନିଧିମାନେ ତାଙ୍କ କାମରେ ନାହାନ୍ତି । ଯେଉଁମାନେ ନିଜ ବିଭାଗ ସମ୍ଭାଳିବା କଥା, ସେମାନେ କେବଳ ପ୍ରଚାରରେ ମାତିଲେଣି।
କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କ ‘ଟାଟା’ର ଏଭଳି କାମ ଚଳିବନି ଟୁଇଟକୁ ବି ନାପସନ୍ଦ କରିଛନ୍ତି। ଏନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯଦି ରାଜ୍ୟର ଶାସନ ମୁଖ୍ୟ କହିବେ ଶାସନ ବ୍ୟବସ୍ଥା ହୁଗୁଳିଗଲା ପରେ ସେଇଟା ଚଳିବନି, ତାହେଲେ କିଏ ଚଳେଇବ? ଏଣେ ଶକ୍ତି ମନ୍ତ୍ରୀ ବିତଣ୍ଡା ଯୁକ୍ତ ବାଢ଼ୁଛନ୍ତି। ଯେଉଁ କମ୍ପାନିକୁ ଚୁକ୍ତି କରି ରାଜ୍ୟ ସରକାର ବିଦ୍ୟୁତ ଯୋଗାଣ ଦାୟିତ୍ୱ ଦେଇଛନ୍ତି, ତାକୁ ସଠକ୍ କ୍ରିୟାନ୍ବୟନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।