ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

ଭୁବନେଶ୍ବର (ସଂକେତ୍ ଟିଭି) ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଛି। ଫାଙ୍କା ସିଲିଣ୍ଡର ଧରି ମହିଳା କର୍ମୀ ଓ ନେତ୍ରୀମାନେ କେନ୍ଦ୍ର ବିରୋଧରେ ଗର୍ଜିବା ସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛନ୍ତି। ଏହାବ୍ୟତୀତ ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

୨୦୧୪ ମସିହାରେ ଯେଉଁ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧ ଶହ ୩୦ ଟଙ୍କାରେ ପହଞ୍ଚିଛି । ୯ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢିଗଲାଣି । ଫଳରେ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ବିଜେଡି ତୁରନ୍ତ ଏଲ୍‍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବିକରି ଆସୁଛି । ହେଲେ କେନ୍ଦ୍ରସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯଦି କେନ୍ଦ୍ରସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନକରନ୍ତି ତେବେ ଆଗାମୀ ଦିନରେ ବିଜୁଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁସ୍ତରରେ କରିବ ବୋଲି ଦଳ ଚେତାବନୀ ଦେଇଛି ।