ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣ ସିଂଙ୍କୁ କ୍ଲିନଚିଟ୍, କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ: (ସଂକେତ୍ ଟିଭି) ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧା ସଭାପତି ବ୍ରିଜଭୂଷଣ ସିଂଙ୍କୁ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ କ୍ଲିନଚିଟ୍ ଦେଇଛି । ଦିଲ୍ଲୀ ପୋଲିସ କହିଛି ଯେ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ, ତାଙ୍କ ବିରୋଧରେ ଦାୟର ପୋକ୍ସୋ ଏଫଆଇଆରକୁ ରଦ୍ଦ କରିବା ଲାଗି ରିପୋର୍ଟ ଦାଖଲ ହୋଇଛି ।
ସୂଚନା ଅନୁସାରେ, ଦିଲ୍ଲୀ ପୁଲିସ ଅଧିକାରୀମାନେ ଆଜି ପାଟିଆଲା ହାଉସ୍ କୋର୍ଟରେ ହାଜର ହୋଇଥିଲେ। ସେମାନେ ବ୍ରିଜଭୂଷଣଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଉପରେ ଯାଂଚ କରି ଦୁଇଟି ଚାର୍ଜସିଟ୍ ଦାଖଲ କରିଛନ୍ତି । କୌଣସି ବଳିଷ୍ଠ ପ୍ରମାଣ ନ ମିଳିବା ଦର୍ଶାଇ ଏହି ମାମଲା ଖାରଜ କରିବା ପାଇଁ ୫୦୦ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ, ୭ଜଣ ମହିଳା କୁସ୍ତିଯୋଦ୍ଧା ଏପ୍ରିଲ ୨୧ ତାରିଖରେ ଦିଲ୍ଲୀ ପୋଲିସ ନିକଟରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ ୨୮ ଏପ୍ରିଲରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପ୍ରଥମ ମାମଲା ୬ଜଣ ସାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ବେଳେ ଦ୍ୱିତୀୟ ମାମଲା ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା ।
ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସ ଆଜି କେନ୍ଦ୍ର ସରକାର ଉପରେ ବର୍ଷିଛି । ଆଜି ଦଳ ମୁଖ୍ୟାଳୟରେ ପ୍ରେସମିଟ କରି କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ସୁପ୍ରିୟା ଶ୍ରୀନାତେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଉପରେ ବର୍ଷିଛନ୍ତି । ସୁପ୍ରିୟା କହିଛନ୍ତି ଦିଲ୍ଲୀ ପୋଲିସ ଚାର୍ଜସିଟରେ ଏହା ଏକ POCSO ମାମଲା ନୁହେଁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛି । ଯେତେବେଳେ ପୁରା ଶାସନ କଳ ଏହି ମାମଲାରେ ବ୍ରିଜଭୂଷଣଙ୍କୁ ସମର୍ଥନ ଦେଉଛି ସେତେବେଳେ ଜଣେ ନାବାଳିକା ପୀଡିତା କିପରି ଲଢିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ସରକାରର ‘ବେଟି ବଚାଓ ବେଟି ପଢାଉ ନାରା ଫେଲ ମାରିଛି ବୋଲି ସେ କହିଛନ୍ତି ।
ସେହିପରି ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ଯ ଟାର୍ଗେଟ କରିଛନ୍ତି । କହିଛନ୍ତି ଶାହଙ୍କ ଅଧୀନରେ ଥିବା ଦିଲ୍ଲୀ ପୋଲିସ ଅଭିଯୋଗ ପରେ ବ୍ରିଜଭୂଷଣଙ୍କୁ ଗିରଫ କିମ୍ବା ଜେରା କଲା ନାହିଁ । ଅଭିଯୋଗର ହେବାର ଦୀର୍ଘ ଦେଢ ମାସ ମଧ୍ୟରେ ଅଭିଯୁକ୍ତକୁ ଥରେ ବି ଜେରା କରାଗଲା ନାହିଁ । ସେ କିପରି ପ୍ରମାଣ ନଷ୍ଟ କରିବା ସହ ତଦନ୍ତକୁ ପ୍ରଭାବିତ କରିବା ପାଇଁ ସୁଯୋଗ ପାଇବେ ସେନେଇ ପୁରା ଶାସନ କଳ ଅଭିଯୁକ୍ତକୁ ସହଯୋଗ କରିଥିଲା ବୋଲି ସୁପ୍ରିୟା କହିଛନ୍ତି ।