ବଡ଼ବାପା ଓ ତାଙ୍କ ପୁଅକୁ ଗୋଡାଇ ଗୋଡାଇ ହତ୍ୟା କଲା ପୁତୁରା
ବାଲେଶ୍ବର (ସଂକେତ୍ ଟିଭି) ବାପ ପୁଅକୁ ଗୋଡାଇ ଗୋଡାଇ ଲୁହା ରଡରେ ପିଟି ପିଟି ହତ୍ୟା କଲା ପୁତୁରା । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କବାଟଘାଟି ଗ୍ରାମରେ ଗତକାଲି ରାତିରେ ଏହି ଭଳି ଘଟଣା ଘଟିଛି । ମୃତକ ଦୁଇ ଜଣ ହେଲେ ସର୍ଦ୍ଦାରବନ୍ଧ ପଞ୍ଚାୟତର ବଡ଼ ଟିକାୟତପୁର ଗ୍ରାମର ହାରା ବିନ୍ଧାଣି (୬୨) ଓ ତାଙ୍କ ପୁତ୍ର କ୍ରିଷ୍ଣା ବିନ୍ଧାଣୀ (୩୨) ।
ସୂଚନା ଅନୁସାରେ, ହାରା ବିନ୍ଧାଣୀ ସପରିବାର ରାଇବଣିଆ ପଞ୍ଚାୟତର କବାଟଘାଟି ଗ୍ରାମରେ ଥିବା ନିଜର ସାନଭାଇ ଜଗନ୍ନାଥଙ୍କ ଘରକୁ ରଜ ଉପଲକ୍ଷେ ବୁଲିବାକୁ ଆସିଥିଲେ। ତେବେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଆଉ ଏହି ସମୟରେ ଜଗନ୍ନାଥଙ୍କ ପୁଅ ପ୍ରଫୁଲ୍ଲ ବଡ଼ବାପା ହାରା ଓ ତାଙ୍କ ପୁତ୍ର କ୍ରିଷ୍ଣାଙ୍କୁ ଏକ ଲୁହାରଡରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ବର ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି।
ବଡ଼ବାପା ଓ ଭାଇକୁ ମାରିବା ପରେ ଘଟଣା ସ୍ଥଳରୁ ପୁତୁରା ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସେପଟେ ପ୍ରଫୁଲ୍ଲ ଓ ତାଙ୍କ ପରିବାରର ସମସ୍ତେ ଫେରାର ହୋଇଯାଇଛନ୍ତି।