ମଣିପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଘର ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା
ଇମ୍ଫାଲ (ସଂକେତ୍ ଟିଭି) ମଣିପୁରର ଇମ୍ଫାଲ୍ରେ ଉତ୍ତ୍ୟକ୍ତ ଜନତା କେନ୍ଦ୍ରମନ୍ତ୍ରୀ ଆର୍. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ି ଦେଇଥିବା ଜଣାପଡିଛି । ସେହି ସମୟରେ ମନ୍ତ୍ରୀ ସିଂହ ଘରେ ନ ଥିବା ଜଣାପଡିଛି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତ୍ରରେ ପ୍ରାୟ ୧୦୦୦ରୁ ଅଧିକ ଉତ୍ତ୍ୟକ୍ତ ଜନତା କେନ୍ଦ୍ରମନ୍ତ୍ରୀ ଆର୍. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ି ପକାଇଥିବା କଥା ସରକାରୀ ଅଧିକାରୀମନେ କହିଛନ୍ତି। ଇମ୍ଫାଲ୍ରେ କର୍ଫ୍ୟୁ ସତ୍ତ୍ବେ ଉତ୍ତ୍ୟକ୍ତ ଜନତା କୋଙ୍ଗ୍ବାସ୍ଥିତ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆକ୍ରମଣ କରିଥିଲେ। କିନ୍ତୁ, ମନ୍ତ୍ରୀ ସିଂହ ସେତେବେଳ ଘରେ ନ ଥିଲେ। ଘଟଣା ସମୟରେ ୯ଜଣ ‘ଏସ୍କର୍ଟ’ ସୁରକ୍ଷା କର୍ମଚାରୀ, ୫ଜଣ ନିରାପତ୍ତା ରକ୍ଷୀ ଏବଂ ୮ଜଣ ଅତିରିକ୍ତ ପ୍ରହରୀ ମନ୍ତ୍ରୀଙ୍କ ବାସଭବନ ସୁରକ୍ଷା ଦାୟିତ୍ବରେ ଥିଲେ ।
ଏସ୍କର୍ଟ’ କମାଣ୍ଡର୍ ଏଲ୍. ଦିନେଶ୍ବର ସିଂହ କହିଛନ୍ତି, ଉତ୍ତ୍ୟକ୍ତ ଜନତା ଘରପଛରେ ଥିବା ‘ବାଇ ଲେନ୍’ରୁ ଆରମ୍ଭ କରି ସାମନା ଫାଟକ ପର୍ଯ୍ୟନ୍ତ, ସେମାନେ ଚାରିପଟୁ ପେଟ୍ରୋଲ୍ ବୋମା ଫିଙ୍ଗିଲେ। ସେଥିପାଇଁ ଆମେ ଉତ୍ତ୍ୟକ୍ତ ଜନତାଙ୍କୁ ସମ୍ଭାଳି ପାରିଲୁ ନାହିଁ।