ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାରିପଦା (ସଂକେତ୍ ଟିଭି) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ରାମଚନ୍ଦ୍ର ସେନଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ମୟୂରଭଞ୍ଜର ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି ।

ସୂଚନା ଅନୁସାରେ, ରାମଚନ୍ଦ୍ର ସେନଙ୍କ କୁଳିଅଣାର ପଢ଼ିଆରୀପୁର ଠାରେ ଥିବା ଚାରି ମହଲା ବାସଭବନ, ଗାଙ୍ଗରାଜ ଠାରେ ଥିବା ତିନି ମହଲା ମାର୍କେଟ କମ୍ପ୍ଲେକ୍ସ, ବାରିପଦା ସ୍ଥିତ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଶ୍ୟାମାଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର କାର୍ଯ୍ୟାଳୟ ଏବଂ ବାରିପଦାର ୱାର୍ଡ ନମ୍ବର ୨୩ ତୁଳସୀଚୌରା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି ।

ରାମଚନ୍ଦ୍ର ସେନ ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁ ଆସୁଛନ୍ତି । ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା । ଏହାକୁ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ବାରିପଦା ସ୍ଥିତ ସତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ପ୍ରସନ୍ନ କୁମାର ପଣ୍ଡାଙ୍କ ୱାରେଣ୍ଟ ବଳରେ ଚଢାଉ କରିଛି । ଏଥିରେ ଜଣେ ଅତିରିକ୍ତ ଏସପି, ୫ ଡିଏସପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।