ପକ୍ଷୀ ମାଡ଼ରେ ବିମାନ ପାଇଲଟ ଆହତ
ଲାସ ରିୟୋସ (ସଂକେତ୍ ଟିଭି) ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପାଇଲଟଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳୁଛି । ଇକ୍ୱାଡୋରରେ ଘଟିଥିବା ଏହି ଘଟଣାକୁ ନେଇ କୁହାଯାଉଛି କି, ଇକ୍ୱାଡୋରର ଲାସ ରିୟୋସ ପ୍ରାନ୍ତରେ ଏକ ବିଶାଳ ପକ୍ଷୀ ବିମାନ ଉଇଣ୍ଡସ୍କ୍ରିନରେ ପିଟି ହୋଇଥିଲା । କାଚ ଫାଟି ଯିବା ଯୋଗୁଁ ବିମାନ ଚଲାଉଥିବା ପାଇଲଟ ଏରିୟଲ ବ୍ୟାଲେଣ୍ଟଙ୍କ ମୁହଁରେ ସାମାନ୍ୟ ଆହତ ଲାଗିଥିଲା । ସେ ଏହି ଘଟଣା ପରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ଅନୁମତି ମିଳିବା ପରେ ସେ ବିମାନକୁ ସୁରକ୍ଷିତ ଅବତରଣ କରିଥିଲେ ।
ଏହି ଘଟଣାକୁ ନେଇ ପାଇଲଟ ଏରିୟଲ କହନ୍ତି, ‘ବିମାନ ଉଡ଼ୁଥିବା ବେଳେ ହଠାତ ଉଇଣ୍ଡସ୍କ୍ରିନରେ ଏକ ପକ୍ଷୀ ଆସି ପିଟି ହୋଇଥିଲା । ପକ୍ଷୀଟି ପିଟି ହେବାପରେ ସେ ଉଇଣ୍ଡସ୍କ୍ରିନରେ ଫସିଯିବା ହେତୁ ତାର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଉକ୍ତ ପକ୍ଷୀର ରକ୍ତରେ ମୁଁ ରକ୍ତାକ୍ତ ହୋଇଯାଇଥିଲି । ତେବେ ଏହି ଘଟଣାରେ ମନକୁ ସ୍ଥିର କରିଥିଲି ବିଚଳିତ ହୋଇ ନଥିଲି । କଣ୍ଟ୍ରୋଲ ରୁମକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲି । ଏହାପରେ ସୁରକ୍ଷିତ ଭାବେ ବିମାନକୁ ଅବତରଣ କରିବାରେ ସଫଳ ହୋଇଥିଲି । ଏହା ମୋର ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ରହିଯିବ ।