ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକି ନେଲେ ଅଜଣା ଯୁବତୀ

କଟକ (ସଂକେତ୍ ଟିଭି) ଅଜଣା ଯୁବତୀଙ୍କ ସହ ଚାଟିଂ କରି ପ୍ରାୟ ୨୦ ଲକ୍ଷ ୬୨ ହଜାର ଟଙ୍କାର ଠକେଇର ଶିକାର ହେଲେ କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଏନେଇ ସେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ୨୦୧୮ ମସିହାରେ ବିଦେଶୀ ଲେଡି ଲିଓନା ଜିମି ବୋଲି ନିଜକୁ ପରିଚୟ ଦେଇ ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ । ନିଜକୁ ଲଣ୍ଡନ ମାଞ୍ଚେଷ୍ଟାରର ଅଧିବାସୀ ବୋଲି ସେ କହିଥିଲେ । ପ୍ରଥମେ ଫେସବୁକରେ ବନ୍ଧୁତା ହେବାପରେ ଆରମ୍ଭ ହୋଇଥିଲା ବାର୍ତ୍ତାଳାପ । କଥା ହେବାର ୬ ମାସ ପରେ ସେ ବିଦେଶୀ ଝିଅ ଦିଲ୍ଲୀ ଏୟାରପୋର୍ଟ ଆସିଛି ଓ କିଛି ଅସୁବିଧା ଅଛି ବୋଲି କଟକର ବ୍ୟକ୍ତିଙ୍କୁ କହିଥିଲା । ଏୟାରପୋର୍ଟରେ ଉକ୍ତ ବିଦେଶୀ ଯୁବତୀ ୪୦ ହଜାର ପାଉଣ୍ଡ ରଖିଥିଲା ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ସେଠାରେ ଅଟକ ରଖିଛନ୍ତି ବୋଲି ସେ ବ୍ୟକ୍ତିଙ୍କୁ କହିଥିଲା । ଏମିତକି ରିଲିଜ କରିବାକୁ ମଧ୍ୟ ଉକ୍ତ ଯୁବତୀ କହିଥିଲେ । ୨୦୧୮ ମସିହାରେ ସେ ପ୍ରଥମେ ୮୯୦୦୦ ଟଙ୍କା ଦେଇଥିଲେ । ଏହାପରେ ୨୦୧୯ରେ ହ୍ବାଟ୍ସ୍‌ଆପ୍‌ରେ ପୁଣି ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। ଏହାପରେ ଉକ୍ତ ଯୁବତୀ ବରିଷ୍ଠ ବ୍ୟକ୍ତିଙ୍କୁ ଜନ ମାର୍ଟିନ ନାମକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବା ପାଇଁ କହିଥିଲେ । ଏହାପରେ ସେ ବୟସ୍କ ବ୍ୟକ୍ତିଙ୍କୁ ବିଭିନ୍ନ ତରିକାରେ ଟଙ୍କା ନେବା ପାଇଁ ବାଧ୍ୟ କରିଥିଲେ । ଏହାପରେ ଆଉଜଣେ ଉଷା ଖାନ୍ନା ନାମକ ଆଇଡି RBI ଅଧିକାରୀ ବୋଲି ପରିଚୟ ଦେଇଥିଲା । ସେ ମଧ୍ୟ ଟଙ୍କା ଲୁଟ କରିବାର ପ୍ରୟାସ ଆରମ୍ଭ କରିଥିଲା ।

ତେବେ ପୋଲିସ ସୂତ୍ରରୁ ସୂଚନା ଯେ ୨୦୧୯ରେ ୨ ଲକ୍ଷ ୬୦ ହଜାର ୨୦୨୦ରେ ୨ ଲକ୍ଷ ୯୬ ହଜାର ୫୦୦ ୨୦୨୧ରେ ୧୨ ଲକ୍ଷ ୩୫ ହଜାର ଓ ୨୦୨୨ ମସିହାର ୧ ଲକ୍ଷ ୮୧ ହଜାର ଟଙ୍କା ବିଭିନ୍ନ ଆକାଉଣ୍ଟରେ ଉକ୍ତ ବିଦେଶୀ ମହିଳାଙ୍କୁ ସେ ଟ୍ରାନ୍ସଫର କରିଥିଲେ । ସେ ମୋଟ ୨୦ ଲକ୍ଷ ୬୧ ହଜାର ୧୦୦ ଟଙ୍କା ଲୁଟର ଶିକାର ହୋଇଛନ୍ତି । ଠକାମୀର ଶିକାର ହୋଇଥିବା ଜାଣିପାରି ସେ ଏନେଇ ସାଇବର ଥାନାରେ ଏତଲା କରିଛନ୍ତି ।

ବର୍ତ୍ତମାନ ଏହି ଘଟଣାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରାଯାଇଛି । ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଓ ସିବିଆଇର ସାହାଯ୍ୟ ନେବ ବୋଲି ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ।