ରଥଯାତ୍ରା ପାଇଁ ପୁରୀକୁ ଗଡିବ ୨ ହଜାର ଯାତ୍ରୀବାହୀ ବସ୍
ଭୁବନେଶ୍ବର (ସଂକେତ୍ ଟିଭି) ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ପରିବହନ ବିଭାଗ ପ୍ରାୟ ୨ ହଜାର ଯାତ୍ରୀବାହୀ ବସ୍କୁ ସ୍ବତନ୍ତ୍ର ପରମିଟ୍ ପ୍ରଦାନ କରିଛି । ବସଯାତ୍ରୀ ମାନଙ୍କଠାରୁ ଅଧିକ ଭଡା ଆଦାୟ କରାଯାଇପାରିବ ନାହିଁ । କୌଣସି ବସରେ ଯେପରି ଭିଡ ନହେବ ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ଲାଗି ପିଇବା ପାଣିର ବନ୍ଦୋବସ୍ଥ କରିବା ଲାଗି ପରିବହନ ବିଭାଗ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି ।
ଯାତ୍ରୀ ପରିବହନ ବ୍ୟବସ୍ଥାକୁ ତନଖି କରିବା ଲାଗି ୨୫ଟି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି । ଏହ ସହିତ ବ୍ୟବସ୍ଥାକୁ ତନଖି କରିବା ଲାଗି ୬ଜଣ ଡେପୁଟି କମିଶନର ବିଭିନ୍ନ ସ୍ଥାନରେ ମୁତୟନ ହେବେ । ଯଦି କୌଣସି ଯାଗାରେ କିଛି ବି ବ୍ୟତିକ୍ରମ ଦେଖାଦିଏ, ତେବେ ସମ୍ପୃକ୍ତ ବସ୍ର ପରମିଟ୍ ବାତିଲ କରାଯିବା ସିହତ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
କଟକ ବ୍ୟତୀତ ସମଗ୍ର ରାଜ୍ୟରୁ ପୁରୀ ଅଭିମୁଖେ ଆସିବା ଲାଗି ପ୍ରାୟ ୨ ହଜାର ଘରୋଇ ବସ୍କୁ ସ୍ପେଶାଲ ପରମିଟ୍ ମିଳିଛି । କିନ୍ତୁ ଚଳିତ ବର୍ଷ ଯେପରି ବସ୍ ଯାତ୍ରୀମାନେ ଅସୁବିଧାରେ ନପଡିବେ, ସେଥିଲାଗି ପରିବହନ ବିଭାଗ ତରଫରୁ ଘରୋଇ ବସ୍ ମାଲିକମାନଙ୍କୁ ବହୁ ଆଗରୁ ସତର୍କ କରିଦିଆଯାଇଛି ।
ପ୍ରତ୍ୟେକ ବର୍ଷ ରଥଯାତ୍ରା ବେଳକୁ କଟକ ସମେତ ଭୁବନେଶ୍ବର, ପିପିଲି, ଖୋର୍ଦ୍ଧା ଏବଂ ବିଶେଷ କରି ପୁରୀରୁ ବସଯାତ୍ରୀମାନଙ୍କର ବିଭିନ୍ନ ପ୍ରକାର ଅଭିଯୋଗ ଆସିଥାଏ ।