ବିବାହ ପରେ ଶାରୀରିକ ସମ୍ପର୍କ ନରଖିବା ଅପରାଧ ନୁହେଁ : ହାଇକୋର୍ଟ

ବେଙ୍ଗାଲୁରୁ (ସଂକେତ୍ ଟିଭି) ହିନ୍ଦୁ ବିବାହ ଆଇନର ଧାରା ୧୨ (୧) ଅନୁଯାୟୀ ବିବାହ ପରେ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବା ନିଷ୍ଠୁରତା । ହେଲେ ଏହି ମାମଲାରେ ଅପରାଧିକ ମାମଲା ରୁଜୁ ହୋଇ ପାରିବନି । କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ଏହି ମାମଲାରେ ଜଡିତ ଥିବା ଦମ୍ପତି ୨୦୧୯ ମସିହା ଡିସେମ୍ବର ୧୮ ତାରିଖରେ ବିବାହ କରିଥିଲେ। ପରେ ମହିଳାଜଣକ ୨୦୨୦ ମସିହା ଫେବୃୟାରୀ ୫ ତାରିଖରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଏତେ ସବୁ ପରେ ବି ସେମାନଙ୍କ ବିବାହ ତିଷ୍ଠି ପାରି ନ ଥିଲା। ଗତବର୍ଷ ନଭେମ୍ବର ୧୬ ତାରିଖରେ ଏହି ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଅନ୍ୟପକ୍ଷରେ ମହିଳାଜଣକ ନିଜ ସ୍ୱାମୀ ଓ ଶାଶୁ, ଶ୍ୱଶୁରଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବାକୁ ଅପିଲ୍‌ କରିଥିଲେ। ସ୍ୱାମୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଥିବା ନେଇ ମହିଳା ଜଣକ ସ୍ବାମୀ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ଏମ୍‌ ନାଗାପ୍ରସନ୍ନା କହିଛନ୍ତି, ବ୍ୟକ୍ତିଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମ ପାଳନ କରୁଥିବାବେଳେ ତାଙ୍କ ଅନୁଯାୟୀ, ବିବାହ ହେଉଛି ଆତ୍ମା ସହ ଆତ୍ମାର ମିଳନ । ଏଥିପାଇଁ ଶାରୀରିକ ସମ୍ପର୍କର ଆବଶ୍ୟକତା ନାହିଁ।

ସେ ନିଜ ରାୟରେ କହିଛନ୍ତି, ବିବାହ ପରେ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବା ନିଶ୍ଚିତ ରୂପେ ନିଷ୍ଠୁରତା। ହିନ୍ଦୁ ବିବାହ ଆଇନର ସେକ୍ସନ-୧୨ (ଏ) ଅନୁଯାୟୀ, ଏହା ନିଷ୍ଠୁରତା ବୋଲି ବିବେଚିତ ହେବ। ଏହି ଆଧାରରେ ଅପରାଧିକ ପ୍ରକ୍ରିୟା ଜାରି ରଖିବାକୁ ଅନୁମତି ଦେବା ଆଇନର ଅପବ୍ୟବହାର ହେବ ବୋଲି ସେ କହିଛନ୍ତି। ଏହା କହି ସେ ମାମଲାକୁ ଖାରଜ କରିଦେଇଛନ୍ତି ।