ଅସହ୍ୟ ତାତି ପାଇଁ ବଢିଲା ଗ୍ରୀଷ୍ମ ଛୁଟି

ଭୁବନେଶ୍ବର (ସଂକେତ୍ ଟିଭି) ଅସହ୍ୟ ତାତି ପାଇଁ ରାଜ୍ୟର ଛଅଟି ଜିଲ୍ଲାରେ ଗ୍ରୀଷ୍ମ ଛୁଟି ଅବଧି ବଢିଛି । ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ନୂଆପଡା । ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲାରେ ଥିବା ସମସ୍ତ ବିଦ୍ୟାଳୟ ୨୩ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ୨୩ ଓ ୨୪ ତାରିଖରେ ସୁବର୍ଣ୍ଣପୁର ଜିଲାର ସମସ୍ତ ସ୍କୁଲ ସକାଳୁଆ ହେବ। ସକାଳ ସାଢ଼େ ୬ଟାରୁ ସାଢ଼େ ୯ ଯାଏ ଚାଲିବ ପାଠପଢା। ସାଢ଼େ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଏଥିସହ ୨୬ ତାରିଖଠାରୁ ଜିଲାର ସମସ୍ତ ସ୍କୁଲ ନିୟମିତ ସ୍ୱାଭାବିକ ସମୟରେ ଚାଲିବ।

ସେହିପରି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲାରେ ୨୩ ଓ ୨୪ ତାରିଖ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ। ସାଢ଼େ ୮ଟାରୁ ୯ ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୬ ତାରିଖରୁ ସ୍ୱାଭାବିକ ସମୟରେ ଚାଲିବ ସ୍କୁଲ।

ଅପରପ​‌କ୍ଷେ, ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲାରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସବୁ ଜିଲାର ସମସ୍ତ ବିଦ୍ୟାଳୟ ୨୨ରୁ ୨୪ ତାରିଖ ଯାଏ ସକାଳୁଆ ହେବ। ସମ୍ବଲପୁର ଓ ଝାରସୁଗୁଡ଼ାରେ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସେହିପରି ବଲାଙ୍ଗିରରେ ସାଢ଼େ ୬ଟାରୁ ସାଢ଼େ ୧୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ।

ଏଠାରେ ସୂଚନାଯୋଗ୍ୟ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲାକୁ ବ୍ୟତୀତ ସବୁ ଜିଲାରେ ଆସନ୍ତାକାଲି ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବାକୁ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହି ୭ ଜିଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହେବ ନା ଛୁଟି ଘୋଷଣା କରାଯିବ ସେନେଇ ଜିଲାପାଳ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲା।