ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷାବଳ

ନୂଆଦିଲ୍ଲୀ (ସଂକେତ୍ ଟିଭି) ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷାବଳ । ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନୀ ହିଂସା ମାମଲାରେ କୋଲକତା ହାଇକୋର୍ଟ ପ୍ରତ୍ୟେକ ଜିଲାରେ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିବାବେଳେ ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଛନ୍ତି ।

ଶୁଣାଣି ବେଳେ ଜଷ୍ଟିସ୍ ନାଗରତ୍ନା ପଞ୍ଚାୟତ ସ୍ତରରେ ସ୍ଥିତି କ’ଣ ଅଛି ବୋଲି ପ୍ରଶ୍ନ କରିଥିଲେ । ଏହା ଉତ୍ତର ଦେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ରଖୁଥିବା ଆଇନଜୀବୀ ସିଦ୍ଧାର୍ଥ ଅଗ୍ରଓ୍ବାଲ କହିଥିଲେ, ଜୁନ୍ ୧୩ ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହିତ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ । ହେଲେ ଜୁନ ୧୫ ତାରିଖରେ କୋଲକାତା ହାଇକୋର୍ଟ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ । ମଙ୍ଗଳବାର ପ୍ରାତିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ପୂରା ରାଜ୍ୟରେ ୧୮୯ଟି ସମ୍ବେଦନଶୀଳ ବୁଥ ରହିଛି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୁରକ୍ଷାକୁ ପ୍ରସ୍ତୁତ ରହିଛନ୍ତି ।

ସେପଟେ ଜଷ୍ଟିସ୍ ନାଗରତ୍ନା କହିଛନ୍ତି, କୋଲକାତା ହାଇକୋର୍ଟ ଏଥିପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି କାରଣ ପଶ୍ଚିମବଙ୍ଗରେ ୨୦୧୩ ଓ ୨୦୧୮ ନିର୍ବାଚନରେ ହିଂସାର ପୁରୁଣା ଇତିହାସ ରହିଛି । ହିଂସା ମାହୋଲରେ ନିର୍ବାଚନ ହୁଏ ନାହିଁ । ନିର୍ବାଚନ ସ୍ବଚ୍ଛତା ଓ ସ୍ବତନ୍ତ୍ରତା ଭାବେ ହେବା ଦରକାର । ଯଦି ଲୋକଙ୍କୁ ନାମାଙ୍କନ ଦାଖଲ କରିବରେ ସ୍ବତନ୍ତ୍ରତା ମିଳୁନାହିଁ । ସେମାନଙ୍କ ହତ୍ୟା ହୋଇଯାଉଛି, ତେବେ ଆପଣ ନିରପେକ୍ଷ ମତଦାନର କଥା କହିପାରିବେ ନାହିଁ । ତେଣୁ ହିଂସା ଘଟଣା ସାମ୍ନାକୁ ଆସୁଥିବାରୁ ହାଇକୋର୍ଟ କେନ୍ଦ୍ରୀୟ ବଳ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।