ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ଵର(ସଂକେତ୍ ଟିଭି) ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ୧୫ଟି ପ୍ରସ୍ତାବରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସୌରା ଭାଷାକୁ ସେଡୁଲ ଭାଷାରେ ରଖିବା ପ୍ରସ୍ତାବ ଗୃହୀତ ହୋଇଛି ।ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅଧିକ ରାସ୍ତା ନିର୍ମାଣ ନିଷ୍ପତିକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାସହିତ ମଝିଘରିଆଣୀ ଠାକୁରାଣୀ ମନ୍ଦିର ପାଇଁ ରେଲଓ୍ଵେରୁ ଆସିଥିବା ଜମିକୁ ହସ୍ତାନ୍ତର କରିବା ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିଛି ।

୧୫ଟି ପ୍ରସ୍ତାବ ମଧ୍ୟରୁ ମହତ୍ଵପୂର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା। ଏହି ଯୋଜନାରେ ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଛି। ଅପହଞ୍ଚ ଓ ଅସଂଯୋଜିତ ଗ୍ରାମାଞ୍ଚଳକୁ ମୁଖ୍ୟ ସଡ଼କ ସହ ଯୋଡ଼ିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାରେ ୩୬୧ କିମି ରାସ୍ତା ନିର୍ମାଣ ହେବ, ସେଥିପାଇଁ ୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିଭଳି ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ଶୀତଳାପଲ୍ଲୀରେ ଏକ ମଳ୍ଟିସ୍ପେଶାଲିଟି ହସ୍ପିଟାଲ ହେବ। ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଜମି ଦେବେ ସରକାର । ୪୩.୦୫ ଏକର ଜମି ପାଇଁ ବାର୍ଷିକ ରେଣ୍ଟ ଛାଡ କରିଛନ୍ତି ସରକାର ।

ସେହିପରି ଅନାଥଶ୍ରମ, ବ୍ଲାଇଣ୍ଡ ସ୍କୁଲ ଓ ଗୋଶାଳା ପାଇଁ ସ୍ବତନ୍ତ୍ର ରେଣ୍ଟ ବ୍ୟବସ୍ଥା କରାଯାଇଛି । ସ୍ବତନ୍ତ୍ର ରେଣ୍ଟ ସମ୍ପର୍କୀତ ନୀତିକୁ କ୍ୟାବିନେଟ ମୋହର ବାଜିଛି। ରାୟଗଡ଼ା ମା ମଝିଘରିଆଣୀ ମନ୍ଦିରର ଉନ୍ନତି ହେବ। ମନ୍ଦିର ରୂପାନ୍ତରଣ ପାଇଁ ସରକାର ୬ ଏକର ଜମି ଦେବେ । ବିନା ପ୍ରମିୟମରେ ଜମି ମିଳିବ । ସେହିପରି ଓଡ଼ିଶା ଜିଏସଟି ଆଇନରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେପଟେ ଅବଢ଼ା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।