ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ଜବତ ହେଲା ନଗଦ ୩ କୋଟି ଟଙ୍କା

ଭୁବନେଶ୍ୱର (ସଂକେତ୍ ଟିଭି) ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ବାସଭବନରେ ରେଡ୍ ବେଳେ ଭିଜିଲାନ୍ସ ତାଙ୍କର ଅମାପ ସମ୍ପତ୍ତି ଏବଂ ପେଟି ପେଟି ଟଙ୍କା ଠାବ କରିଛି । ଶୁକ୍ରବାର ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା ।

ଭିଜିଲାନ୍ସ ଟିମ୍ ଆସିଥିବା ଜାଣି ପ୍ରଶାନ୍ତ ଘରେ ନଥିଲେ, କିନ୍ତୁ ପରିବାର ଲୋକଙ୍କୁ ପଡ଼ୋଶୀଙ୍କ ଛାତକୁ ସେହି ୬ ପ୍ୟାକେଟ୍ ଟଙ୍କା ବିଡ଼ା ଫିଙ୍ଗିଦେବାକୁ କହି ଦେଇ ଯାଇଥିଲେ। ଭିଜିଲାନ୍ସ ଟିମ୍ କାଳ ବିଳମ୍ବ ନ କରି ପଡ଼ୋଶୀଙ୍କ କଲିଂ ବେଲ୍ ଚିପି ଡାକିଥିଲେ। ପଡ଼ୋଶୀ ମଧ୍ୟ ଗେଟ୍ ଖୋଲିଲେ। ହେଲେ ସେ କିଛି ବୁଝିପାରି ନଥିଲେ। ଭିଜିଲାନ୍ସ ଟିମର କିଛି ସଦସ୍ୟ ପଡ଼ୋଶୀଙ୍କ ଛାତ ଉପରକୁ ଗଲେ। ସେଠାରୁ ୬ଟି ପେଟିରୁ ୨ କୋଟି ଟଙ୍କାର ୫ଶହ ଟଙ୍କିଆ ନୋଟ ଜବତ କରିଥିଲେ ।

ସେହିପରି ତାଙ୍କ ଘରୁ କେତେକ ସୁନା ବିସ୍କୁଟ ବି ଜବତ ହୋଇଛି । ତାଙ୍କ ନବରଙ୍ଗପୁର ସରକାରୀ ବାସଭବନରୁ ୭୭ ଲକ୍ଷ ଓ ରାଜଧାନୀର ଘରୁ ୨ କୋଟି ୨୫ ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଏପରି ଭାବେ ୩ କୋଟିରୁ ଅଧିକ ଟଙ୍କା ଜବତ କଲାଣି ଭିଜିଲାନ୍ସ।

ଭିଜିଲାନ୍ସ ଏକକାଳୀନ ନବରଙ୍ଗପୁର , ଭୁବନେଶ୍ୱର ଓ ଭଦ୍ରକ ସମେତ ୯ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି। ଭୁବନେଶ୍ବର ସ୍ଥିତ କାନନବିହାରରେ ଦୁଇ ମହଲା ଘର, ନବରଙ୍ଗପୁର ବାସଭବନ, ଅଫିସ ସମେତ ଭଦ୍ରକରେ ପୈତୃକ ବାସଭବନରେ ଚଢାଉ ଚାଲିଛି। ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି।

ପ୍ରଶାନ୍ତ କୁମାର ରାଉତଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଆଗରୁ ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ଥିବା ବେଳେ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ସମୟରେ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏବେ ଅତିରିକ୍ତ ଉପଜିଲ୍ଲାପାଳ ଦାୟିତ୍ବରେ ଥିବା ସମୟରେ ପୁଣି ଥରେ ଭିଜିଲାନ୍ସ ଚଢାଉ କରିଛି।