ମଣିପୁର ହିଂସା : ମନ୍ତ୍ରୀଙ୍କ ଗୋଦାମ ଜାଳିଦେଲେ ଦଙ୍ଗାକାରୀ

ଇମ୍ଫାଲ (ସଂକେତ୍ ଟିଭି) ମଣିପୁରରେ ହିଂସା ଧିରେ ଧିରେ ଆହୁରି ଉଗ୍ର ରୂପ ନେବାକୁ ବସିଛି । କେନ୍ଦ୍ର ଓ ରାଜ୍ୟ ସରକାର ହିଂସା ରୋକିବାରୁ ସମ୍ପୂର୍ଣ୍ଣ ଫେଲ୍ ହୋଇସାରିଛନ୍ତି। ମେ ୩ ତାରିଖରୁ ଏପର୍ଯ୍ୟନ୍ତ ହିଂସା ପୋଡ଼ା ଜଳା ଜାରି ରହିଛି। ଆଜି ଇମ୍ଫାଲ ଇଷ୍ଟ ଜିଲ୍ଲାର ଚିଙ୍ଗାରେଇ ଠାରେ ଥିବା ମନ୍ତ୍ରୀ ଏଲ୍‌ ସୁସିନ୍ଦ୍ରୋଙ୍କର ଘରୋଇ ଗୋଦାମରେ ଦଙ୍ଗାକାରୀମାନେ ନିଆଁ ଲଗାଇଛନ୍ତି । ଗୋଦାମ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଦଙ୍ଗାକାରୀମାନେ ଶୁକ୍ରବାର ରାତିରେ ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀର ଇମ୍ଫାଲ ଇଷ୍ଟ ଜିଲ୍ଲା ଖୁରେଇ ଥିବା ତାଙ୍କ ବାସଭବନକୁ ମଧ୍ୟ ପୋଡ଼ିବାକୁ ଚେଷ୍ଟା କରିଥିଲେ। ତେବେ ଠିକ୍ ସମୟରେ ପୁଲିସ ପହଞ୍ଚିଯିବାରୁ ମନ୍ତ୍ରୀଙ୍କ ସମ୍ପତ୍ତି ରକ୍ଷା ପାଇଯାଇଥିଲା। ପୁଲିସ ଫୋର୍ସ ରାତିରେ ଦଙ୍ଗାକାରୀଙ୍କ ଉପରେ ଲୁହା ବୁହା ଗ୍ୟାସ୍ ସହ ଫଲ୍ସ ଫାୟାରିଂ କରିଥିଲେ।

ମଣିପୁର ହିଂସା ଆରମ୍ଭ ହେବା ଦିନ ଠାରୁ ୩ ଜଣ ମନ୍ତ୍ରୀଙ୍କ ଉପରେ ଆକ୍ରମଣ କରାଯାଇଛି। ଜୁନ ୪ ତାରିଖରେ ଦଙ୍ଗାକାରୀ ପଶ୍ଚିମ ଜିଲ୍ଲାର ମନ୍ତ୍ରୀ ନେମ୍ଚା କିପ୍‌ଜେନ୍‌ଙ୍କର ସରକାରୀ ବାସଭବନ ଜାଳି ଦେଇଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଆର୍‌କେ ସିଂହଙ୍କର ଘରକୁ ମଧ୍ୟ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ।

ଏସ୍‌ଟି କୋଟାକୁ ନେଇ ମଣିପୁରରେ ଦୁଇଟି ଜାତି ମାଇତେଇ ଓ କୁକି ମଧ୍ୟରେ ଲଢ଼େଇ ଜାରି ରହିଛି। ମେ ୩ ତାରିଖରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସାରେ ଶତାଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ ଅନେକ ଘରକୁ ନିଆଁ ଲଗାଇ ଦିଆଯାଇଛି। ଅନେକ ଲୋକ ବାସହରା ହୋଇଛନ୍ତି।

ମାଇତେକୁ ବିରୋଧ କରି କୁକି ସମ୍ପ୍ରଦାୟ ମେ ୩ ତାରିଖରେ ଆଦିବାସୀ ସମର୍ଥିତ ଶୋଭାଯାତ୍ରା ବାହାର କରିଥିଲେ। ଏହାପରେ ରାଜ୍ୟରେ ହିଂସା ଆରମ୍ଭ ହୋଇଥିଲା। ମାଇତେଇ ସମ୍ପ୍ରଦାୟ ରାଜ୍ୟରେ ନ୍ୟାସ୍‌ନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍‌ଆର୍‌ସି) ଲାଗୁ କରିବାକୁ ଦାବି କରୁଥିବା ବେଳେ କୁକୁ ସମ୍ପ୍ରଦାୟ ନିଜର ଏକ ସ୍ୱତନ୍ତ୍ର ରାଜ୍ୟ ଦାବି କରି ଆସୁଛନ୍ତି।