ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ
ଭୁବନେଶ୍ବର (ସଂକେତ୍ ଟିଭି) ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପତ୍ନୀ ହତ୍ୟା ମାମଲାର ବିଚାର କରି ଭୁବନେଶ୍ବର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ୍ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଭୁବନେଶ୍ବର ଏମ୍ଏଲ୍ଏ କଲୋନୀରେ ରାମମୂର୍ତ୍ତିଙ୍କ ବାସଭବନ DS18/1ରୁ ତାଙ୍କ ପତ୍ନୀଙ୍କର ମିଳିଥିଲା ମୃତଦେହ । ପତ୍ନୀ ଗର୍ଭବତୀ ଥିବା ସମୟରେ ଜାଳି ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣା ଦିନ ୧୦ଟା ୪୫ ମିନିଟରେ ରାମମୂର୍ତ୍ତି ଗମାଙ୍ଗ ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ସେହିଦିନ ସକାଳ ୯ଟାରେ ତାଙ୍କ ପତ୍ନୀ ବାଥରୁମ୍ ଭିତରେ ଆତ୍ମହତ୍ୟା କରିଥିବା ସେ ପୁଲିସକୁ ସୂଚନା ଦେଇଥିଲେ। ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ, ବରଂ ସୁଚିନ୍ତିତ ହତ୍ୟା ବୋଲି ପୁଲିସ ସନ୍ଦେହ କରିବା ପରେ ସେନେଇ ତଦନ୍ତ ଆଗକୁ ବଢ଼ାଇଥିଲା। ରାମମୂର୍ତ୍ତି ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପ୍ରୟାସ କରାଯାଇଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା। ସେହି ଆଧାରରେ ପୁଲିସ ଏହି ଘଟଣାରେ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା।
୧୯୯୦ରେ ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ ଟିକେଟରେ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ଜନତା ଦଳ ଛାଡ଼ି ଦେଇଥିଲେ। ୨୦୦୦ ମସିହାରେ ବିଜେପି ଟିକେଟରେ ନିର୍ବାଚନ ଜିତି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ।