ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଗିରଫ
ବାରିପଦା (ସଂକେତ୍ ଟିଭି) ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ମୟୁରଭଞ୍ଜ ପୋଲିସ ୧୦ ଅଭିଯୁକ୍ତ ଶିକାରୀ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୋଲି ସୂଚନା ମିଳିଛି ।
ଏହା ସହିତ ୨ଟି ଦେଶୀ ବନ୍ଧୁକ, ୨ଟି ଧନୁ ତୀର ସହିତ ବାଉଁଶ ଲାଠି ଜବତ ହୋଇଛି । ଗତ ସପ୍ତାହରେ ପୋଲିସ ଓ ବନ ବିଭାଗ ପକ୍ଷରୁ ୬ଟି ସ୍ୱତନ୍ତ୍ର ଅପରେସନ୍ ଟିମ୍ ଗଠନ କରି ଶିକାରୀମାନଙ୍କୁ ଧରିବା ଲାଗି କମ୍ବିଂ ଅପରେସନ୍ ଜାରି ରହିଥିଲା । ଏହି ମାମଲା ବ୍ୟତୀତ ଆଉ ଏକ ଚଢଉରେ ପୋଲିସ କେବଳ ୨ଟି ଦେଶୀ ବନ୍ଧୁକ ଜବତ କରିଥିବା ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟର ଉପର ବାର୍ହାକାମୁଡ଼ା ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବନ ବିଭାଗ ଓ ଶିକାରୀ ମୁହାଁମୁଁହି ହୋଇଥିଲେ । ଉଭୟ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ସହିଦ ହୋଇଥିଲେ ଫରେଷ୍ଟର ମାଥି ହାଁସଦା । ଘଟଣାର ୮ ଦିନ ପରେ ୧୦ ଜଣଙ୍କୁ ଗିରଫ କରିଛି ମୟୁରଭଞ୍ଜ ପୋଲିସ ।