ଭୁବନେଶ୍ୱର ଜିଲ୍ଲା କମିଟି ପୁନର୍ଗଠନ କଲା ବିଜେଡି, ସୁଶାନ୍ତ ରାଉତ ସଭାପତି
ଭୁବନେଶ୍ବର (ସଂକେତ୍ ଟିଭି) ବିଜେଡିର ଭୁବନେଶ୍ୱର ଜିଲ୍ଲା କମିଟି ପୁନର୍ଗଠନ ହୋଇଛି । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ପୁଣିଥରେ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବରୁ ମେୟର ପଦବୀ ରେସରେ ଥିବା ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଛି । କମିଟିରେ ସଭାପତିଙ୍କୁ ମିଶାଇ ମୋଟ ୧୫୫ ଜଣ ଦଳୀୟ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଛି ।
ଭୁବନେଶ୍ୱରର ୩ ନିର୍ବାଚନ ମଣ୍ଡଳୀ ପାଇଁ ଦଳ ଉପଦେଷ୍ଟା, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ନିଯୁକ୍ତି ଦେଇଛି । ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ମୋଟ ୧୫୩ ଜଣଙ୍କୁ ବିଭିନ୍ନ କର୍ମକର୍ତ୍ତା ଭାବେ ଅବସ୍ଥାପିତ କରାଯାଇଛି । ଏଥିରେ ୨୭ ଜଣଙ୍କୁ ଉପଦେଷ୍ଟା, ୨୭ ଜଣଙ୍କୁ ଉପସଭାପତି, ୨୭ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭୨ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ବ ମିଳିଛି ।
ସେହିପରି ଏକାମ୍ର ବିଧାନସଭା କ୍ଷେତ୍ର ପାଇଁ ୮ ଜଣ ଉପଦେଷ୍ଟା, ୭ ଉପସଭାପତିଙ୍କୁ ନିଯୁକ୍ତି କରାଯାଇଛି । କମିଟିରେ ୬ ଜଣ ସାଧାରଣ ସମ୍ପାଦକ ଓ ୨୪ ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ପାଇଁ ୯ ଉପଦେଷ୍ଟା, ୧୦ ଜଣ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ୨୩ ସମ୍ପାଦକ ନିଯୁକ୍ତ ହୋଇଛନ୍ତି ।
ସେହିପରି ଉତ୍ତର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ପାଇଁ ୧୦ ଉପଦେଷ୍ଟା, ୧୦ ଉପସଭାପତି, ୯ ସାଧାରଣ ସମ୍ପାଦକ, ୨୫ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୌର ନିର୍ବାଚନରେ ଟିକେଟରୁ ବଞ୍ଚିତ ଓ ବିଭିନ୍ନ କାରଣକୁ ନେଇ ଅସନ୍ତୁଷ୍ଟ ଥିବା ଭୁବନେଶ୍ୱରରର ବହୁ ପୂର୍ବତନ କର୍ପୋରେଟର ଓ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକି ଦଳ ପକ୍ଷରୁ ବୁଝାସୁଝା କରାଯାଇଥିଲା । ଦଳରେ ଅସନ୍ତୁଷ୍ଟ ଥିବା ଭୁବନେଶ୍ୱରର ନେତାମାନଙ୍କୁ ବୁଝାସୁଝା କରି ସଂଗଠନରେ ଥଇଥାନ କରିଛି ।
ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଭୁବନେଶ୍ୱର ଦଖଲ ଲକ୍ଷ୍ୟରେ ଅଛନ୍ତି । ଏହାର ମୁକାବିଲା ପାଇଁ ପୁରୁଖା ସଂଗଠନ ଥିବା ନେତାଙ୍କୁ ଜିଲ୍ଲା ସଂଗଠନରେ ଥଇଥାନ କରାଯାଇଛି । ବିଜେଡି ପ୍ରଥମ ଥର ପାଇଁ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି । ଦଳରେ ବେଶ ପ୍ରଭାବଶାଳୀ କୁହାଯାଉଥିବା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଏହି ଦାୟିତ୍ୱ ମିଳିଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଜିଲ୍ଲା ସଂଗଠନରେ ଥିବା ଗୋଷ୍ଠୀ କନ୍ଦଳ, ୩ ବିଧାୟକ ଓ ମେୟରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପାଇଁ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି ।