ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା, ୧୨ଟି ୱାଗନ୍‌ ଲାଇନଚ୍ୟୁତ

କୋଲକାତା(ସଂକେତ୍ ଟିଭି) ପଶ୍ଚିମବଙ୍ଗ ବାଙ୍କୁରାର ଓଣ୍ଡା ରେଲଓ୍ବେ ଷ୍ଟେସନରେ ଶନିବାର ରାତି ପ୍ରାୟ ୪ଟା ବେଳେ ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହେବା ପରେ ଲାଇନଚ୍ୟୁତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ଖଡକପୁର-ବାଙ୍କୁରା-ଆଡ୍ରା ଲାଇନରେ ରେଳ ଚଳାଚଳକୁ ବାତିଲ କରାଯାଇଛି । ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ଗୋଟିଏ ମାଲବାହୀ ଟ୍ରେନର ଲୋକପାଇଲଟ ଆହତ ହୋଇଛନ୍ତି ।

ଏନେଇ ରେଳ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ଟ୍ରେନ ଖାଲିଥିଲା । ୧୨ଟି ୱାଗନ୍‌ ଧାରଣାରୁ ବାହାରି ଯାଇଛି। କେଉଁ କାରଣରୁ ଦୁଇ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହେଲା ଏହାର କାରଣ ଜଣାପଡିନି । ଏନେଇ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ । ଦୁର୍ଘଟଣା ଯୋଗୁଁ ଆଡ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି । ଆଦ୍ରା ଡିଭିଜନ୍‌ ପଶ୍ଚିମବଙ୍ଗର ୪ଟି ଜିଲ୍ଲା ଯଥା:- ପଶ୍ଚିମ ମିଦନାପୁର, ବାଙ୍କୁଡ଼ା, ପୁରୁଲିଆ ଓ ବର୍ଦ୍ଦମାନ ଏବଂ ଝାଡ଼ଖଣ୍ଡର ଧାନବାଦ, ବୋକାରୋ ଓ ସିଂହଭୂମ ଜିଲ୍ଲା ପାଇଁ ରେଳସେବା ଯୋଗାଇ ଦେଇଥାଏ। ଏ ସମସ୍ତ ଜିଲ୍ଲା ଦକ୍ଷିଣ-ପୂର୍ବ ରେଳବାଇର ଅନ୍ତର୍ଭୁକ୍ତ ଅଟେ।

ଏହି ସେକ୍‌ସନ୍‌ରୁ ‘ପୁରୁଲିଆ ଏକ୍ସପ୍ରେସ୍‌’ ଭଳି କେତେକ ଟ୍ରେନ୍‌ ଚଳାଚଳ ନିମନ୍ତେ ଯଥା ଶୀଘ୍ର ସମ୍ଭବ ‘ଅପ୍‌ଲାଇନ୍‌’ ଖୋଲିବା ଲାଗି ରେଳ କର୍ତ୍ତୃପକ୍ଷମାନେ ଉଦ୍ୟମ ଚଳାଇଛନ୍ତି।