ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୨ ମୃତ
ବ୍ରହ୍ମପୁର (ସଂକେତ୍ ଟିଭି) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସେହି ମୃତକମାନଙ୍କର ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୬ ପୁରୁଷ ଓ ଦୁଇ ଶିଶୁ ଥିବା ଜଣାଯାଇଛି।
ସୂଚନା ଅନୁସାରେ, ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ(୨୫),ସୀତାରାମ ପ୍ରଧାନ(୬୦), ସୁଜ୍ଞାନୀ କୁମାରୀ ପ୍ରଧାନ(୩୧), ରମେଶ ପ୍ରଧାନ(୬୨) ଓ ତ୍ରିପତି ପ୍ରଧାନ(୪୮), ଗଡ ଗୋବିନ୍ଦପୁରର ସଙ୍ଗୀତା ଡାକୁଆ(୩୨), ସିଙ୍ଗିପୁର ପାଟପୁରର ଲିଟୁ ନାୟକ(୪୦), ମୁଜାଗଡ଼ର ସଞ୍ଜୟ ମେଦିନ ରୟ(୫୦), ଶୁଭେନ୍ଦୁ ପ୍ରଧାନ(୩୨) ଦେବାଂଶୁ ପ୍ରଧାନ(୩), ରୁପାଲି ପ୍ରଧାନ (୨୩) ଏବଂ ହାର୍ଦ୍ଦିକ(୧)।
ଏଥିସହିତ ଦୁଇ ବସ୍ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ରାୟଗଡ଼ା ଜିଲ୍ଲା ଗୁଡାରିରୁ ଭୁବନେଶ୍ୱର ଯାଉଥିବା ଓଏସ୍ଆର୍ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଖଣ୍ଡ ଦେଉଳି ଫେରୁଥିବା ଏକ ଘରୋଇ ମିନିବସ୍ ସହ ସାଢେ ବାର ଟା ବେଳେ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି।
ତେବେ ଏହି ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ଆଉ ଆହତଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ । ସେହିପରି ଏବେ ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କ ଲାଗି ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି ।