ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା

ଭୁବନେଶ୍ବର (ସଂକେତ୍ ଟିଭି) ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୧.୭ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୮.୬ ମିମି ତୁଳନାରେ ୨୬୯ ପ୍ରତିଶତ ଅଧିକ । ତେବେ ଏହା ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା ହେବ । ଆସନ୍ତା ୨୮ ତାରିଖ ପରେ ପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲାରେ ସର୍ବାଧିକ ବର୍ଷା ୧୦୧.୧ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୭.୩ମିମି ତୁଳନାରେ ୧୨୮୫ ପ୍ରତିଶତ ଅଧିକ ରହିଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସକ୍ରିୟ ଲଘୁଚାପ ଯୋଗୁଁ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ଲାଗି ରହିଛି ବର୍ଷା । ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ କମିପାରେ ।

ଆଜି ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହା ଆଗାମୀ ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସୋନପୁର, ବୌଦ୍ଧ, ବଲାଙ୍ଗୀର ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ନବରଙ୍ଗପୁର, ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ ।