ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର (ସଂକେତ୍ ଟିଭି) ପତ୍ନୀଙ୍କୁ ଜାଳି ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ ଦଣ୍ଡ ମିଳିଛି । ଏହା ସହିତ ୫୦ ହଜାର ଟଙ୍କା ଜରିମାନା ପୈଠ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି । ଜରିମାନା ଅନାଦେୟ ଆହୁରି ୧ ବର୍ଷ ଅତିରିକ୍ତ ଜେଲ ଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ବର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ଏହି ମାମଲାରେ ଗତ ୨୪ ତାରିଖରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

ସୂଚନା ଅନୁସାରେ, ଗତ ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖ ଗଣେଶ ଚତୁର୍ଥୀ ଦିନ ରାୟଗଡ଼ା ଜିଲ୍ଲା ଗୁଣୁପୁରର ତତ୍କାଳୀନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶୀରେଖା ଗମାଙ୍ଗଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ଭୁବନେଶ୍ବର ଖାରବେଳନଗରସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ରାମମୂର୍ତ୍ତିଙ୍କ ସରକାରୀ ବାସଭବନରୁ ଶଶୀରେଖାଙ୍କର ଜଳିଯାଇଥିବା ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ରାମମୂର୍ତ୍ତି ତାଙ୍କ ପତ୍ନୀ ବାଥରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ଖବର ଦେଇଥିଲେ । ଏନେଇ ସେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା । କାରଣ ଗାଧୁଆ ଘରେ ମୃତଦେହ ପଡ଼ିଥିବା ବେଳେ ପାଖରେ କିରାସିନ ଡବା ଓ ଡିଆସିଲ କାଠି ବା କୌଣସି ଛାଟିପିଟି ହେବାର ସୁରାକ୍‌ ମିଳିନଥିଲା । ଫଳରେ ପୋଲିସ ସନ୍ଦେହ କରିଥିଲା ଯେ ତାଙ୍କୁ ହତ୍ୟା ପରେ କିରାସିନ ଢାଳି ଜାଳି ଦିଆଯାଇଛି । ଏନେଇ ସାଇଣ୍ଟିଫିକ୍‌ ରିପୋର୍ଟ ଆଧାରରେ ଶଶୀରେଖାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଓ କିରାସିନ‌ ଢାଳି ଜାଳିବା ଆଦି ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଥିଲା। ପରେ ଖାରବେଳ ନଗର ଥାନା ପୋଲିସ୍ ଏହି ଘଟଣାରେ ବିଧାୟକଙ୍କୁ ସେତେବେଳେ ଗିରଫ କରିଥିଲା । ଏହି ମାମଲାରେ ବର୍ଷକ ପରେ ଜାମିନରେ ମୁକୁଳିଥିଲେ ବିଧାୟକ ରାମମୂର୍ତ୍ତି ।

ଚାର୍ଜସିଟ୍‌ ଦେବାର ଦୀର୍ଘ ୨୭ ବର୍ଷ ପରେ ୭୦ ବର୍ଷୀୟ ପୂର୍ବତନ ବିଧାୟକଙ୍କୁ ୧୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଓ ୧୫ଟି ପ୍ରମାଣ ଭିତ୍ତିକ ଦସ୍ତାବିଜ୍‌କୁ ବିଚାର କରି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।