ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ, ନଗଦ ୫ ଲକ୍ଷ ଟଙ୍କା ଜବତ
ବ୍ରହ୍ମପୁର (ସଂକେତ୍ ଟିଭି) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢଉ କରିଛି । ବ୍ରହ୍ମପୁର ଭିଜିଲାନ୍ସର ୬ଜଣିଆ ଟିମ ତାଙ୍କର ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ତୁଳସୀ ନଗର ୭ ନମ୍ବର ଲାଇନରେ ଥିବା ଘରେ ଚଢ଼ଉ କରିଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ ଧରିଥିଲା। ତାଙ୍କ ମାରୁତି ସ୍ବିଫ୍ଟ କାରରେ ଦେଢ ଲକ୍ଷ ନଗଦ ଟଙ୍କା ଥିବା ଭିଜିଲାନ୍ସ ଟିମ୍ ଦେଖିବାକୁ ପାଇଥିଲା। ଠିକ୍ ସେହିପରି ଅନ୍ୟ ସ୍ଥାନରୁ ତାଙ୍କର ନଗଦ ସାଢେ ୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏପରି ଭିଜିଲାନ୍ସ ମୋଟ ୫ ଲକ୍ଷ ଟଙ୍କା ନଗଦ ଜବତ କରିଛି । ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ପ୍ରଶ୍ନ କରିଥିଲା । ହେଲେ ରେଞ୍ଜର ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।