ମିଳିଲା ଟାଇଟେନିକ ଦେଖିବା ପାଇଁ ଯାଇଥିବା ୫ ଜଣଙ୍କ ମୃତଦେହ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଟାଇଟନିକ ଜାହାଜର ଧ୍ୱଂସାବଶେଷ ଦେଖିବା ପାଇଁ ଯାଇ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ସେମାନେ ଜୁନ ୧୮ ତାରିଖ ଦିନ ସବମର୍ସିବଲ ଟାଇଟନରେ ସମୁଦ୍ର ତଳକୁ ଯାଇଥିଲେ । ବୁଧବାର ଟାଇଟନ ସବମର୍ସିବଲ ଧ୍ୱଂସାବଶେଷ ସହ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଆମେରିକା କୋଷ୍ଟଗାର୍ଡ ସୂଚନା ଦେଇଛି ।

କୋଷ୍ଟଗାର୍ଡ କହିଛି ଯେ ସମୁଦ୍ର ତଳୁ ଧ୍ୱଂସାବଶେଷ ଓ ପ୍ରମାଣ ଉଦ୍ଧାର କରିଛୁ। ଏହି ଧ୍ୱଂସାବଶେଷରେ ମାନବ ଅବଶେଷ ମଧ୍ୟ ସାମିଲ ରହିଛି।

କୋଷ୍ଟଗାର୍ଡ କ୍ୟାପ୍ଟେନ ଜେସନ ନ୍ୟୁବୟର କହିଛନ୍ତି ଯେ ଧ୍ୱଂସାବଶେଷ ରୂପେ ହାସଲ କରାଯାଇଥିବା ପ୍ରମାଣରୁ ଅନ୍ତର୍ଜାତୀୟ ତଦନ୍ତକାରୀଙ୍କୁ ବିଭିନ୍ନପ୍ରକାରର ସୂଚନା ହାସଲ କରିବାରେ ସହାୟତା ମିଳିବ। ଯେଉଁଥିରୁ ଆଗାମୀ ସମୟରେ ବିଭିନ୍ନପ୍ରକାରର କାରଣ ବୁଝି ହେବ। ଏହା ଛଡା ଏପରି ପ୍ରମାଣ ଯୋଗୁ ଏହା ସୁନିଶ୍ଚିତ କରିବାକୁ ସହାୟତା ମିଳିବ ଯେପରି ଏପରି ଘଟଣା ଦ୍ୱିତୀୟବାର ନ ହୁଏ। ଟାଇଟନିକର ଧ୍ୱଂସାବେଶେଷ ନିକଟରେ ସମୁଦ୍ର ତଳେ ସମବମର୍ସିବଲର ଅଂଶବିଶେଷ ସନ୍ଧାନ କରିବାରେ କାନାଡା ଜାହାଜ ହୋରାଇଜନ ଆର୍କଟିକ୍ ରୁ ମାନବ ବିହୀନ ଆରଓଭିକୁ ପଠାଯାଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ମିଳିଛି।

ଏଥିରେ ହୋରାଇଜନ ଆର୍କଟିକ୍‌ ମୁଖପାତ୍ର ଜେଫ ମହୋନୀ କହିଛନ୍ତି ଯେ ପେଲଜିକ୍ ରିସର୍ଚ୍ଚ ସର୍ଭିସେସ୍ ଟିମ୍‌ ଏବେବି ସମୁଦ୍ର ତଳେ କାମ କରୁଛନ୍ତି। ଏଣୁ ସବମର୍ସିବଲ ଟାଇଟନର ଧ୍ୱଂସାବଶେଷ ନେଇ କୌଣସି ମନ୍ତବ୍ୟ ଦେବା ଠିକ ହେବ ନାହିଁ। ସେ କହିଛନ୍ତି ଯେ ଗତ ୧୦ ଦିନ ହେଲା ଏହି ଅପରେସନରେ ୨୪ ଘଣ୍ଟା କାମ ଚାଲିଛି। କୋଷ୍ଟଗାର୍ଡ ଗତ ସପ୍ତାହରେ କହିଥିଲେ ଯେ ସବମର୍ସିବଲ ଟାଇଟନର ଧ୍ୱଂସାବଶେଷ ପାଣି ତଳେ ପାଖାପାଖି ୧୨ହଜାର ୫୦୦ ଫୁଟ ଓ ଟାଇଟନିକ ଧ୍ୱଂସାବଶେଷ ଠାରୁ ୧ ହଜାର ୬୦୦ ଫୁଟ (୪୮୮ ମିଟର) ଦୂରରେ ପଡିଛି।