ଇସ୍ତଫା ଦେବେ ନାହିଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ

ଇମ୍ଫାଲ :(ସଂକେତ ଟିଭି) ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ । ସେ ଟୁଇଟ୍‌ କରି ଏହି ଘୋଷଣା କରିଛନ୍ତି। ଏହାପୂର୍ବରୁ ସେ ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କେନ୍ଦ୍ର ସରକାର ମଧ୍ୟ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲଗାଇ ପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ବର୍ତ୍ତମାନ ତାଙ୍କ ଇସ୍ତଫା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

ସିଏମଙ୍କ ଇସ୍ତଫା ଖବର ଆସିବା ମାତ୍ରେ ଶୁକ୍ରବାର ବହୁ ସଂଖ୍ୟାରେ ଲୋକ ବିରେନ ସିଂଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ଇସ୍ତଫା ନଦେବାକୁ ନିବେଦନ କରିଥିଲେ। ମହିଳା ଆନ୍ଦୋଳନକାରୀମାନେ ଏନ୍‌ ବିରେନ ସିଂହଙ୍କର ଇସ୍ତଫାପତ୍ରକୁ ଚିରି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେଇ ବରଂ ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମହିଳାମାନେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା କଥା ଶୁଣି ଇମ୍ଫାଲ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଫିସ୍‌ ଓ ସଚିବାଳୟ ବାହାରେ ମହିଳାମାନେ ଆନ୍ଦୋଳନ କରିଥିଲେ। ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେବାକୁ ସେମାନେ ଅନୁରୋଧ କରିଥିଲେ।

ଏହି ସମୟରେ ବିରେନ ସିଂ ଟୁଇଟ୍‌ କରି କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ।