ଚଳନ୍ତା ବସରେ ନିଆଁ ଲାଗି ୨୬ ଯାତ୍ରୀ ଜୀବନ୍ତ ଦଗ୍ଧ

ମୁମ୍ୱାଇ :(ସଂକେତ ଟିଭି) ମହାରାଷ୍ଟ୍ରର ବୁଲଧାନାର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ ୱେରେ ବସରେ ହଠାତ ନିଆଁ ଲାଗି ଯିବା ଯୋଗୁଁ 26 ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ 8 ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ମହାରାଷ୍ଟ୍ରର ୟାଭାଟମାଲରୁ ପୁଣେ ଅଭିମୁଖେ ଯାତ୍ରୀବାହୀ ବସ ଯାଉଥିଲା । ମୋଟ 33 ଜଣ ଯାତ୍ରୀ ବସରେ ଯାତ୍ରା କରୁଥିଲେ । ବିଳମ୍ବିତ ରାତି ପ୍ରାୟ 1ଟା 30 ମିନିଟ ସମୟରେ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ବସଟି ପହଞ୍ଚିଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ବସ ଭିତରେ ଥିବା 26 ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ସମସ୍ତେ ଆହତ ହୋଇଥିଲେ । ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁଲଧାନ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ବସରେ ନିଆଁ ଲାଗିଲା ସେନେଇ ତଦନ୍ତ ଚାଲିଛି ।

ବଲଧାନା ଏସପି ସୁନୀଲ କାଣ୍ଡସେନା କହିଛନ୍ତି, ବସଟି ନାଗପୁରରୁ ପୁଣେ ଯାଉଥିବା ବେଳେ ବିଳମ୍ବିତ ରାତି ପ୍ରାୟ 1ଟା 30 ସମୟରେ ନିଆଁ ଲାଗିଯାଇଥିଲା । ଡ୍ରାଇଭରର କହିବା ମୁତାବକ ଟାୟାର ଫାଟିଯିବା ପରେ ବସରେ ନିଆଁ ଲାଗିଯାଇଥିଲା । ପରେ ଡିଜେଲ ଟାଙ୍କିରେ ନିଆଁରେ ଲାଗିଯାଇଥିଲା ।

ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ 5 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ମାଗଣା ଚିକିତ୍ସା କରାଯିବା ନେଇ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲଧାନ ସହରରେ ଘଟିଥିବା ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ଓ ଆହତଙ୍କୁ 50 ହଜାର ଲେଖାଏଁ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।