ଓଡିଶାରେ ମୌସୁମୀ ବାୟୁ ଦୁର୍ବଳ, ହେଉନାହିଁ ଆଶାନୁରୂପ ବର୍ଷା

ଭୁବନେଶ୍ବର :(ସଂକେତ ଟିଭି)ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାମାନ୍ୟ ଦୁର୍ବଳ ଥିବାରୁ ରାଜ୍ୟରେ ଆଶାନୁରୂପ ବର୍ଷା ହେଉନାହିଁ । ତେବେ ଆସନ୍ତା ୨ ତାରିଖ ପରେ ସ୍ଥିତିରେ ଉନ୍ନତି ଆସିବା ସହ ବୃଷ୍ଟିପାତ ପରିମାଣ ବୃଦ୍ଧି ପାଇବା ଆଶା କରାଯାଉଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶିତ ପାଣିପାଗ ରିପୋର୍ଟରେ କୁହାଯାଇଛି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ କଟକ, ନୟାଗଡ଼, ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ବଳ୍ପ ବର୍ଷା କିମ୍ବା ଆଦୌ ବର୍ଷା ହୋଇନଥିଲା । ତେବେ ୨ ଓ ୩ ତାରିଖରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟଲୋ ଓ୍ବର୍ଣ୍ଣିଂ ଜାରି କରିଛି । ସେହିପରି ୪ ଓ ୫ ତାରିଖ ବେଳକୁ ଉପରୋକ୍ତ ଜିଲ୍ଲା ସମେତ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର,କଳାହାଣ୍ଡି, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଭାଗ ୟଲୋ ଓ୍ବର୍ଣ୍ଣିଂ ଜାରି କରିଛି ।