ଡ୍ୟୁଟିରେ ନାହାନ୍ତି ବନ କର୍ମଚାରୀ, ଶିମିଳିପାଳ ଜଗିବେ ପୁଲିସ ଫୋର୍ସ
ବାରିପଦା (ସଂକେତ୍ ଟିଭି) ଶିମିଳିପାଳ ସୁରକ୍ଷାରେ ଏବେ ନିୟୋଜିତ ହେବେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ । ୮ ଶହରୁ ଅଧିକ ବନ କର୍ମଚାରୀ ଜଙ୍ଗଲ ଡ୍ୟୁଟିରେ ନଥିବାରୁ ଶିମିଳିପାଳ ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ ପୁଲିସ ବିଭାଗର ସହାୟତା ଲୋଡ଼ିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ସୁରକ୍ଷାରେ ଏବେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ।
ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଦୁଇ ଥର ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀଙ୍କର ମୃତ୍ୟୁ ଘଟିବା ପରେ କର୍ମଚାରୀମାନେ ଆନ୍ଦୋଳନାତ୍ମକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତ ୨୩ତାରିଖ ପାଖରୁ ଓଡିଶା ଅଣଗେଜେଟେଡ୍ ବନସେବା ସଂଘ ଡାକରାରେ ୨୪୧ଜଣ ବନକର୍ମଚାରୀ ଆନ୍ଦୋଳନରେ ରହିଥିବା ବେଳେ ଜୁଲାଇ ୧ତାରିଖ ଠାରୁ ୭ଦଫା ଦାବିରେ ୬ଶହ ପ୍ରୋଟେକ୍ସନ ଆସିସ୍ଟାନସ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ତେଣୁ ୮ ଶହରୁ ଅଧିକ ବନ କର୍ମଚାରୀ ଜଙ୍ଗଲରେ ଡ୍ୟୁଟି ନକରିବା ଫଳରେ ଶିମିଳିପାଳ ଏବେ ଖୋଲା ପଡ଼ିଥିବା ବେଳେ ଶିମିଳିପାଳ ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।