ଅଯୋଗ୍ୟ ହେବେ ସିନ୍ଦେ, ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାର : ସଞ୍ଜୟଙ୍କ ବିସ୍ଫୋରକ ବୟାନ

ମୁମ୍ବାଇ (ସଂକେତ୍ ଟିଭି) ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ପରିବର୍ତ୍ତେ ଖୁବ୍‌ ଶୀଘ୍ର ‘ଏନ୍‌ସିପି’ ନେତା ଅଜିତ ପାୱାର୍‌ ମୁଖ୍ୟମନ୍ତ୍ରୀ ହେବେ । ସିନ୍ଦେ ସରକାରରେ ଏନସିପି ବରିଷ୍ଠ ସାମିଲ ହେବା ପରେ ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ ରାଜନୈତିକ ଭବିଷ୍ୟତବାଣୀ କରିଛନ୍ତି । ଏବେ ପାଓ୍ୱାର ପ୍ଲେ ସରିଲା ଆଗକୁ ସୁପରଓଭର ବାକି । ମହାରାଷ୍ଟ୍ର ରାଜନୀତି ଗେମ୍ ଚେଞ୍ଜର ହେବେ ଅଜିତ୍ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଛି ବିଜେପି । ତାଙ୍କ ସ୍ଥାନରେ ଅଜିତ୍ ପାଓ୍ବାର ମହାରାଷ୍ଟ୍ରର ତାଜ୍ ପିନ୍ଧିବେ ବୋଲି କହିଛନ୍ତି ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ।

ଅଦାଲତରୁ ଏକନାଥ ସିନ୍ଦେ ଓ ୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ବାଦ୍ ପଡିବେ । ସରକାର ଭାଙ୍ଗିଯିବା ଭୟରେ ବିଜେପି ଅଜିତ୍ ପାଓ୍ବାରଙ୍କୁ ସାଉଁଟି ନେଉଛି । ମହାରାଷ୍ଟ୍ରରେ ରାଜନୀତିରେ ଏହା ପରମ୍ପରା ନୁହେଁ । ଏହାକୁ ରାଜ୍ୟବାସୀ ସମର୍ଥନ କରିବେ ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି ।

‘ଶିବସେନା’, ‘ଏନ୍‌ସିପି’ ଓ ‘କଂ‌ଗ୍ରେସ’କୁ ‘ବିଜେପି’ ଭାଙ୍ଗୁଛି କିନ୍ତି, ଏଥିରୁ ସେମାନେ ଆଦୌ ଲାଭ ପାଇବେ ନାହିଁ। ମହାରାଷ୍ଟ୍ରରେ ଆମେ ଏକତ୍ର ହୋଇ ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବୁ। ‘ଏନ୍‌ସିପି’ ନେତାମାନେ ଦୁର୍ନୀତିରେ ଲିପ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ବେଳେ ଆଜି ସେହି ନେତାମାନେ ରାଜଭବନରେ ଶପଥ ଗ୍ରହଣ କରିବା ବଡ଼ କ୍ଷୋଭର କଥା ବୋଲି ରାଉତ କହିଛନ୍ତି।

ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ‘ଟିମ୍‌ ଉଦ୍ଧବ’ କହିଛି ଯେ, ୨୪ ବର୍ଷ ପୂର୍ବେ ଦଳ ସଂସ୍ଥାପନା କରିଥିବା ଦାଦାଙ୍କୁ ଆଘାତ ଦେଇ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାର ‘ଏନ୍‌ସିପି’ରୁ ପୃଥକ୍‌ ହୋଇଗଲେ। ‘ସିନ୍ଦେ-ବିଜେପି’ ସରକାରେ ୮ଜଣ ‘ଏନ୍‌ସିପି’ ନେତା ବି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ, ଏଭଳି ରାଜନୀତିକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ରାଜ୍ୟରେ ଏଭଳି ରାଜନୈତିକ ପରମ୍ପରା ନ ଥିଲା। ତେଣୁ ଜନତା ଏହାକୁ ସମର୍ଥନ କରିବ ନାହିଁ।

ସେପଟେ ବିଜେପିକୁ ଏନସିପି ମୁଖ୍ୟ ଶରଦ ପାୱାର ତୀବ୍ର ସମାଲୋଚନା କରିଛନ୍ତି । ସାରା ଦେଶରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ପାର୍ଟି ମିଟିଂ ଡାକିଛନ୍ତି । ସେହିଦିନ ଶକ୍ତି ପ୍ରଦର୍ଶନ କରିବେ । ଏପଟେ ଅଜିତ ଏବଂ ଅନ୍ୟ ୮ ବିଧାୟକ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ବାଚସ୍ପତିଙ୍କୁ ଜୟନ୍ତ ପାଟିଲ୍ ବିଧିବଦ୍ଧ ଚିଠି ଲେଖିଛନ୍ତି ।

ମହାରାଷ୍ଟ୍ର ରାଜନୀତିରେ ଏବେ ପୱାର ଭର୍ସେସ୍ ପାୱାର ସ୍ଥିତି ଚାଲିଛି । ଅଜିତ ପୱାରଙ୍କ ସମେତ ୯ ବିଧାୟକ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ।