ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେ ଏନସିପିରୁ ବହିଷ୍କୃତ

ମୁମ୍ୱାଇ (ସଂକେତ୍ ଟିଭି) ଏନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାର ଦୁଇ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ପାଓ୍ବାର ନିଜେ ଏନେଇ ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ବହିସ୍କୃତ କରାଯାଇଥିବା ଶରଦ ଉଲ୍ଲେଖ କରିଛନ୍ତି । ଉଭୟ ନେତା ଶରଦଙ୍କ ବେଶ ଘନିଷ୍ଠ ଥିଲେ । ଉଭୟ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବରେ ଥିବା ବେଳେ ନିକଟରେ ପ୍ରଫୁଲ୍ଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦେଇଥିଲେ ଶରଦ ।

ଉଲ୍ଲେଖଯୋଗ୍ୟ ଯେ ସୋମବାର ଜୁଲାଇ ୩ରେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେଙ୍କ ଦାବିରେ ଶରଦ ପାୱାର ଆକ୍ସନ ନେଇ ପ୍ରଫୁଲ ପଟେଲକୁ ପାର୍ଟି ସମ୍ୱିଧାନ ଏବଂ ନିୟମର ଉଲ୍ଲଂଘନ ଅଭିଯୋଗରେ ଦଳରୁ ବରଖାସ୍ତ କରିଥିଲେ । ଅନ୍ୟପଟେ ଅଜିତ୍ ପାୱାରଙ୍କ ଗୋଷ୍ଠୀ କହିଛି ଯେ ଜୟନ୍ତ ପାଟିଲଙ୍କୁ ଏନସିପିର ମହାରାଷ୍ଟ୍ର ଅଧ୍ୟକ୍ଷ ପଦରୁ ହଟଯାଇଛି । ଏନସିପି ନେତା ପ୍ରଫୁଲ ପଟେଲ୍ କହିଛନ୍ତି ଯେ ସୁନୀଲ ତଟକରେଙ୍କୁ ପାର୍ଟିର ସଂଗଠନରେ ପରିବର୍ତ୍ତନର କରିବାର ଅଧିକାର ରହିଛି । ପ୍ରଫୁଲ ନିଜକୁ କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି ।

ଏହାପରେ ଏନସିପି ନେତା ପ୍ରଫୁଲ ପଟେଲ କହିଛନ୍ତି ଯେ ଅନିଲ ଭାଇଦାସ ପାଟିଲଙ୍କୁ ମହାରାଷ୍ଟ୍ର ବିଧାନସଭାରେ ଏନସିପିର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି । ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେଙ୍କୁ ଶରଦ ପାୱାର ପାର୍ଟିରୁ ବହିଷ୍କାର କରିବାର କିଛି ସମୟରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଶରଦ ପାୱାର ହିଁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର କହିଛନ୍ତି ।

ସେପଟେ ବହିସ୍କୃତ ହୋଇଥିବା ସୁନିଲ ତଟକରେଙ୍କୁ ଅଜିତ ଗୋଷ୍ଠୀ NCP ର ନୂଆ ରାଜ୍ୟ ସଭାପତି ଘୋଷଣା କରିଛି । ବହିସ୍କୃତ ହୋଇଥିବା ଦଳର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ସୁନିଲ ତଟକରେଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ଏନସିପି କାହା ନିୟନ୍ତ୍ରଣରେ ଅଛି ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବା ଆରମ୍ଭ ହୋଇଛି । ସେହିପରି କେବଳ ଦଳର ରାଜ୍ୟ ସଭାପତି ନୁହେଁ ବରଂ ଅନ୍ୟ ସାଙ୍ଗଠନିକ ପଦ ପାଇଁ ନେତା ନିଯୁକ୍ତ କରିଛି ଅଜିତ ଗୋଷ୍ଠୀ । ଏନଡିଏରେ ସାମିଲ ହୋଇଥିବା ଦଳର ଅନ୍ୟତମ ନେତା ଅନିଲ ଭାଇଦାସ ପାଟିଲଙ୍କୁ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ବ ମିଳିଥିବା ଘୋଷଣା କରିଛି ଅଜିତ ସମର୍ଥିତ ଗୋଷ୍ଠୀ ।