୨ ଝିଅ ଓ ପୁଅକୁ କୂଅକୁ ଫିଙ୍ଗି ଡେଇଁ ପଡିଲା ମାଆ, ଦୁଇ ଶିଶୁ ମୃତ
ବ୍ରହ୍ମପୁର (ସଂକେତ୍ ଟିଭି) ୨ ଝିଅ ଓ ପୁଅକୁ କୂଅରେ ଫିଙ୍ଗିଦେଇ ନିଜେ ବି କୂଅକୁ ଡେଇଁ ପଡିଲା ମାଆ। ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମବାସୀଙ୍କ ଦ୍ବାରା ବଡ ଝିଅ ଓ ମାଆ ଜୀବିତ ଉଦ୍ଧାର ହୋଇଛନ୍ତି । ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ।
ଲାଉଗୁଡା ଗାଁ ଗ୍ରାମର କୋରା ଗୌଡଙ୍କ ପରିବାରରେ କଳହ ଲାଗି ରହୁଥିଲା । କୋରା ଗୌଡଙ୍କ ପୁଅ ବଳିଆ ଗୌଡ କାର୍ଯ୍ୟ ଅନ୍ୱେଷଣରେ ଚେନ୍ନାଇରେ ରହୁଥିବା ବେଳେ ତାଙ୍କ ପତ୍ନୀ ରଶ୍ମିତା ଗୌଡ ନିଜର ତିନି ସନ୍ତାନକୁ ନେଇ ଘରେ ରହୁଥିଲେ । ହେଲେ ଗତକାଲି(ରବିବାର) ମଧ୍ୟରାତ୍ରରେ ରଶ୍ମିତା ପାରିବାରିକ କଳହକୁ ନେଇ ନିଜର 10 ବର୍ଷ ବଡ ଝିଅ, 4 ବର୍ଷ ପୁଅ ଏବଂ 8 ମାସର ସାନ ଝିଅକୁ ଧରି କୂଅକୁ ଡେଇଁ ପଡିଥିଲେ । କୂଅରେ ଅଧିକ ପାଣି ରହିଥିବାରୁ 4 ବର୍ଷ ପୁଅ ଏବଂ 8 ମାସର ସାନ ଝିଅ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ।
ବଡ ଝିଅ କୂଅରୁ ଏକ ପଥରକୁ ଧରି ରହି ବଞ୍ଚିବା ପାଇଁ ବହୁ ଜୋରରେ ଚିତ୍କାର କରିଥିଲେ । ଏହି ସମୟରେ ଗ୍ରାମବାସୀ ବଡ ଝିଅର ଡାକ ଶୁଣି ମାଆ ରଶ୍ମିତା ଓ ବଡ ଝିଅକୁ ଉଦ୍ଧାର କରିଥିଲେ । ଏହାପରେ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସକାଳେ କୂଅରୁ ମୃତ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମାଆ ଓ ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଣି ଥରେ ରଶ୍ମିତା ଏକ ବ୍ଲେ଼ଡରେ ନିଜର ଜିଭକୁ କାଟି ଦେଇଥିବାରୁ ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରଣ କରାଯାଇଛି ।