୫ଟି ସଚିବ ଭି.କେ ପାଣ୍ଡିଆନଙ୍କ କାରକେଡକୁ ଅଣ୍ଡାମାଡ଼

ସୁବର୍ଣ୍ଣପୁର (ସଂକେତ୍ ଟିଭି) ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ଆମ ଆଦମୀ ପାର୍ଟି ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ ଆଦମୀ ପାର୍ଟି ପକ୍ଷରୁ ୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ କରାଯାଇଛି। ପ୍ରଥମେ ଆମ୍‌ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରିଥିଲେ। ପରେ ତାଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ।

ଆଜି ୫ଟି ସଚିବ ସୁବର୍ଣ୍ଣପୁର ଗସ୍ତରେ ଯାଇଛନ୍ତି । ଭିକେ ପାଣ୍ଡିଆନ ହେଲିକପ୍ଟରରେ କୋଟ ସମଲେଇଠାରେ ପହଞ୍ଚିଥିଲେ। ପରେ ସେଠାରୁ ଉଲୁଣ୍ଡା ବ୍ଲକରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଆମ୍‌ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ ତାଙ୍କ କାର୍‌କେଡ୍‌କୁ ଉପରକୁ ଅଣ୍ଡାମାଡ଼ କରିଥିଲେ।

ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଓଡ଼ିଶା ଶାଖା ପ୍ରତିକ୍ରିୟା ରଖି ଫେସବୁକ୍ ପେଜରେ ପୋଷ୍ଟ କରି ଲେଖିଛି ଯେ, କୌଣସି ସମସ୍ୟାର ସମାଧାନ ଦାବି କରିବା ଏବଂ ଗଣତାନ୍ତ୍ରିକ ଉପାୟରେ କରିବା ହେଉଛି ଆପର ବିଚାରଧାରା। ଅଣ୍ଡାମାଡ଼ କରିବା ପାର୍ଟିର ନୀତି ବିରୁଦ୍ଧ କାମ। ଯେଉଁ ଦଳୀୟ କର୍ମୀମାନେ ଏପରି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଜଗତସିଂହପୁର ଗସ୍ତ କାର୍ଯ୍ୟକ୍ରମକୁ ପାରାଦୀପ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ରାହାମା, କୁଜଙ୍ଗ ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୁଜଙ୍ଗରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ସରକାରଙ୍କ ମହିଳା ବିରୋଧୀ ମନୋଭାବ ବିରୋଧରେ କଳା ଶାଢ଼ି ପିନ୍ଧି ପ୍ରତିବାଦ କରିଥିଲେ। ୫-ଟି ସଚିବ ହେଲିକପ୍ଟର୍‌ରେ ପାରାଦୀପ ଆସିଥିବାରୁ ଆକାଶରେ କଳା ବେଲୁନ୍‌ ଉଡ଼ାଇ ବିରୋଧ କରିଥିଲେ। କର୍ମୀମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା।