୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ବର (ସଂକେତ୍ ଟିଭି) ରାଜ୍ୟରେ ପୁଣିଥରେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବର୍ତ୍ତମାନ ମୌସୁମୀ ନିମ୍ନ ଚାପରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି, ଦିଲ୍ଲୀ, ଆଲିଗଡ଼, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ୱିଛି। ହାର ପ୍ରଭାବରେ ଉତ୍ତର ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ଆଜି ସକାଳୁ ବର୍ଷା ଲାଗିରହିଛି ଏବଂ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁନର୍ବାର ସ୍ୱାଭାବିକ ସ୍ଥିତିକୁ ଫେର ଆସିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୬ ଜୁଲାଇ, ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ଉପକୂଳ ଠାରୁ ଚକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଏହି ସମୟ ମଧ୍ୟରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କନ୍ଧମାଳ, ପ୍ରଭୃତି ୧୭ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।