ମୁମ୍ବାଇରେ ଏନସିପିର ଦୁଇ ଗୋଷ୍ଠୀର ଶକ୍ତି ପ୍ରଦର୍ଶନ

ମୁମ୍ବାଇ (ସଂକେତ୍ ଟିଭି) ଏନସିପିରେ ଫାଟ ସୃଷ୍ଟି ହେବା ପରେ ଆଜି ଉଭୟ ଗୋଷ୍ଠୀ ନିଜ ଶକ୍ତି ପ୍ରଦର୍ଶନ ପାଇଁ ଦୁଇଟି ପୃଥକ ସଭା ଡାକିଥିଲେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବାନ୍ଦ୍ରାଠାରେ ଏନସିପି ଦଳର ସଦସ୍ୟଙ୍କ ଏକ ବୈଠକ ଡାକିଥିବାବେଳେ ଶରଦ ପାୱାର ଓ୍ବାଇବି ଚହ୍ବାନ ଅଡିଟୋରିୟମରେ ସମସ୍ତ ଦଳର ସଦସ୍ୟଙ୍କ ବୈଠକ ଡାକିଥିଲେ। ଦଳର ଅଧିକାଂଶ ବିଧାୟକ ସେମାନଙ୍କ ସହ ଅଛନ୍ତି ବୋଲି ଅଜିତ ପାୱାର ଦଳ ଦାବି କରିଛନ୍ତି।

ବୈଠକକୁ ସମ୍ବୋଧିତ କରି ଅଜିତ ପାୱାର କହିଛନ୍ତି ଯେ, ଦଳ ଆଗକୁ ବଢିବା ମୋର ହୃଦୟର ଇଚ୍ଛା। ଆମର ବିଧାୟକଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଜନ କଲ୍ୟାଣ ପାଇଁ ମୋର କିଛି ଯୋଜନା କାର୍ଯ୍ୟକାରୀ କରିବାକୁ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି।

ଆମେ ଏତେ ଦିନ ଧରି ସାହେବ (ଶରଦ ପାୱାର) ଙ୍କ ଛାଇରେ ରହିଛୁ, ସେ ଯାହା କହିଛନ୍ତି ତାହା କରିଛୁ। କିନ୍ତୁ ସମସ୍ତଙ୍କର ସମୟ ଅଛି, ଆମ ସମସ୍ତଙ୍କର ନିଜସ୍ବ ମତ ଅଛି। ଯଦି ଆମେ ଇତିହାସକୁ ଦେଖିବା, ଗଣତନ୍ତ୍ରରେ ଏହା ଅନେକ ଥର ଘଟିଛି। ଶରଦ ପାୱାର ଆମର ଭଗବାନ, ଆମେ ତାଙ୍କ ଆଶୀର୍ବାଦ ଖୋଜୁ ବୋଲି ଅଜିତ କହିଛନ୍ତି।

ସେପଟେ ଭାଷଣ ମାଧ୍ୟମରେ ଭାଜପାକୁ ଟାର୍ଗେଟ କରିଛନ୍ତି ଶରଦ ପାଓ୍ବାର। ସେ କହିଛନ୍ତି, ଆପଣ ଏନସିପିକୁ ଏକ ଦୁର୍ନୀତିଗ୍ରସ୍ତ ଦଳ ବୋଲି କହୁଛନ୍ତି, ତେବେ ଆପଣ ବର୍ତ୍ତମାନ ଏନସିପି ସହ କିପରି ମେଣ୍ଟ ସରକାର ଗଠନ କରିଛନ୍ତି।
ସେ ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସହ ଯାହା ଘଟିଛି ତାହା ଆମ ସହ ପୁନରାବୃତ୍ତି ହୋଇଛି। ଆମେ କ୍ଷମତା ପାଇଁ ଭୋକିଲା ନୁହଁ, ଆମେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରୁଛୁ। ଅଜିତଙ୍କୁ ଟାର୍ଗେଟ କରି ଶରଦ କହିଛନ୍ତି, ଯଦି କୌଣସି ଅସୁବିଧା ଥିଲା ତେବେ ଅଜିତ ମୋ ସହ କଥା ହୋଇଥାନ୍ତେ। ଯଦି ତାଙ୍କ ମନରେ କିଛି ଥିଲା, ସେ ମୋ ପାଖକୁ ଆସିଥାନ୍ତେ।

ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ସାଂସଦ ସୁପ୍ରିୟା ସୁଲେ ମଧ୍ଯ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୋର ଅସମ୍ମାନ କରନ୍ତୁ କିନ୍ତୁ ବାପା ଶରଦ ପାଓ୍ବାରଙ୍କ ବିରୋଧରେ କିଛି କୁହନ୍ତୁ ନାହିଁ। ଏହି ଯୁଦ୍ଧ କେବଳ ଭାଜପା ସରକାର ବିରୋଧରେ ଆରମ୍ଭ ହୋଇଛି। ଭାଜପା ଦେଶର ଭଷ୍ଟ୍ରାଚାରୀ ଦଳ ଅଟେ।