ବାହାନଗା ରେଳ ଦୁର୍ଘଟଣା : ତିନି ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର (ସଂକେତ୍ ଟିଭି) ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ତିନି ଜଣ ହେଲେ ବରିଷ୍ଠ ​ସେକ୍ସନ୍‌ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍‌ ଇଂଜିନିୟର ମହମ୍ମଦ ଅମୀର ଖାନ ଏବଂ ଟେକ୍‌ନିସିଆନ୍‌ ପପୁ କୁମାର । ଏହି ତିନି ଅଭିଯୁକ୍ତଙ୍କୁ ପ୍ରଥମେ କଡ଼ା ସୁରକ୍ଷା ମଧ୍ୟରେ କ୍ୟାପିଟାଲ ଡାକ୍ତରଖାନାରେ ଡାକ୍ତରୀ ଯାଞ୍ଚ ପରେ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି ।

ଦୁର୍ଘଟଣାର ଠିକ୍ ୩୫ ଦିନରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି । ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି ।

ଉଲ୍ଲେଖଥାଉକି, ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ଠାରେ ଶାଲିମାର-ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ଅପର ପାର୍ଶ୍ବରୁ ଆସୁଥିବା ହାଓଡ଼ା ଏସ୍‌ଏମ୍‌ଭିବି (ଯଶବନ୍ତପୁର) ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇ ବିଲକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ।