ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି
ବିଶାଖାପାଟଣା (ସଂକେତ୍ ଟିଭି) ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ବେଳେ ବୋମ୍ମାଇପାଲ୍ଲୀ ଓ ପାଗିଡ଼ିପାଲ୍ଲୀ ମଧ୍ୟରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ହୋଇଥିବା ସୂଚନା। ନିଆଁ ଲାଗିବା ଦେଖି ଯାତ୍ରୀମାନେ ଓହ୍ଲାଇ ପଡ଼ିଛନ୍ତି। ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଖବର ଅନୁଯାୟୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେହି ମୃତାହାତ ହୋଇ ନାହାନ୍ତି। ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆଯାଇଛି। ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗନ୍ତବ୍ୟ ସ୍ଥଳକୁ ବସ ଯୋଗେ ପଠାଯାଉଛି।
ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ‘ସିପିଆର୍ଓ’ ସି. ଏଚ୍. ରାକେଶ କହିଛନ୍ତି, ନିଆଁ ଲାଗିଥିବା କଥା ଜଣାପଡ଼ିବା କ୍ଷଣି ଟ୍ରେନ୍ ଘଟଣାସ୍ଥଳରେ ଅଟକି ଯାଇଥିଲା ଓ ସମସ୍ତ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଏସ୍୪’, ‘ଏସ୍୫’ ଓ ‘ଏସ୍୬’ ବଗିରେ ନିଆଁ ଲାଗିଛି। ଟ୍ରେନ୍ରୁ ଓହ୍ଲାଇପଡ଼ିଥିବା ଯାତ୍ରୀମାନଙ୍କ ଯାତ୍ରା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ନିଆଁ ସମ୍ପୂର୍ଣ୍ଣ ଲିଭିଯିବା ପରେ ସେ ବାଟ ଦେଇ ଯାଉଥିବା ବାକି ଟ୍ରେନ୍ଗୁଡ଼ିକର ବାତିଲ ବା ପଥ ପରିବର୍ତ୍ତନ ସଂକ୍ରାନ୍ତରେ ସୂଚନା ଜାରି କରାଯିବ। ପରେ ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାରି ହେବ।