ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କଲେ ଗୁଜୁରାଟ ହାଇକୋର୍ଟ
ନୂଆଦିଲ୍ଲୀ (ସଂକେତ୍ ଟିଭି) ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଗୁଜୁରାଟ ହାଇକୋର୍ଟରୁ ନିରାଶ ହୋଇଛନ୍ତି । ଗୁଜୁରାଟ ହାଇକୋର୍ଟରେ ରାହୁଲ କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଯାଇଛି । ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ କୋର୍ଟ ମନା କରିଦେଇଛନ୍ତି ।
ବିଚାରପତି ହେମନ୍ତ ପ୍ରଚ୍ଛକ ସୁରଟ କୋର୍ଟଙ୍କ ରାୟ କାଏମ ରଖିଛନ୍ତି । ଯଦି ଗୁଜୁରାଟ ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥାନ୍ତେ ତାହାହେଲେ ରାହୁଲ ଗାନ୍ଧୀ ନିଜର ସଂସଦ ସଦସ୍ୟତା ପଦ ଫେରି ପାଇଥାନ୍ତେ । ଆସନ୍ତା ସଂସଦ ମୌସୁମୀ ଅଧିବେଶନରେ ସାମିଲ ହୋଇଥାନ୍ତେ ।
୨୦୧୯ ଏପ୍ରିଲ ୧୩ରେ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ସବୁ ମୋଦି ସାଙ୍ଗିଆଧାରୀମାନେ ଚୋର କି । ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା । ଗୁଜୁରାଟର ତତ୍କାଳୀନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା ।
ଗତ ମାର୍ଚ୍ଚ ୨୩ରେ ସୁରଟ ଜିଲ୍ଲା କୋର୍ଟ ଏହି ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ।ସୁରଟ କୋର୍ଟଙ୍କ ରାୟ ଆସିବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଯାଇଥିଲା । ଏହି ରାୟ ବିରୋଧରେ କଂଗ୍ରେସ ନେତା ସୁରଟ ସେସନ କୋର୍ଟରେ ଆବେଦନ କରିଥିଲେ ।