ଭଲ ସଂପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ
କଟକ (ପୂର୍ଣ୍ଣେନ୍ଦୁ ପ୍ରଧାନ) ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ ଭାବେ ବିବେଚିତ କରାଯିବ ନାହିଁ । ଯଦି କୌଣସି କାରଣରୁ ସମ୍ପର୍କରେ ଫାଟ ଆସେ ଓ ବିବାହ ନହୁଏ ତେବେ ଏହା ଦୁଷ୍କର୍ମ ନୁହଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଶୁଣାଇଛନ୍ତି ।
ଭଲ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଇଟି ଭିନ୍ନ କଥା । ମନ୍ଦ ଉଦ୍ଦେଶ୍ୟ ନଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ କୁହାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ଭୁବନେଶ୍ବରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁ ମନୋରଞ୍ଜନ ଦାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏହି ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଇପିସିର ଅନ୍ୟ ଧାରା ସହିତ ପୋଲିସ ଦୁଷ୍କର୍ମ ମାମଲା ମଧ୍ୟ ରୁଜୁ କରିଥିଲା । ତେବେ ଏହି ମାମଲାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଆର.କେ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ଏନେଇ ଥାନାରେ ଯେଉଁ ମାମଲା ରୁଜୁ କରାଯାଇଥିଲା ସେଥିରେ ପୀଡିତାଙ୍କ ସହ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖାଯାଇଥିବା କଥା ଜଣାପଡୁ ନଥିବା କୋର୍ଟ ଅନୁଭବ କରିଥିଲେ । ସେଥିପାଇଁ ପୁରୁଷ ବନ୍ଧୁଙ୍କୁ ଦାୟୀ କରି ଦୁଷ୍କର୍ମ ଅଭିଯୋଗ କରିବା ଅନୁଚିତ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଯେହେତୁ ଉଭୟ ଉଚ୍ଚ ଶିକ୍ଷିତ, ଉଭୟ ସଚେତନତାର ସହ ସମ୍ପର୍କ ରଖିଥିଲେ ବୋଲି କୋର୍ଟ କହିଛନ୍ତି । ତେଣୁ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ ବୋଲି ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।