ଚିନ୍ତା ବଢାଉଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟ

ଭୁବନେଶ୍ବର (ସଂକେତ ଟିଭି ) ଗାଡି ମୋଟରଗୁଡିକରେ ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ରାଜ୍ୟ ପରିବହନ ବିଭାଗ ତନାଘନା କରିବାପରେ ଗାଡିଚାଳକ ମାନେ ଶହ ଶହ ଟଙ୍କା ଖର୍ଚ୍ଚକରି ନିଜ ନିଜ ଗାଡିରେ ଏହାକୁ ଲଗାଇଥିଲେ । ହେଲେ ଏହି ହାଇ ସିକୁ୍ୟରିଟି ନମ୍ବରରୁ ଲୋକେ ସେଭଳି ସୁଫଳ ପାଉନଥିବା ଦେଖିବାକୁ ମିଳୁଛି । ନିକଟରେ ରାଜଧାନୀରେ ଥିବା ଗୋଟିଏ ଗାଡିର ଜୋରିମାନା ଚାଲାଣ ଗଜପତିରେ କଟିବାପରେ ହାଇ ସିକୁ୍ୟରିଟି ନମ୍ବରକୁ ନେଇ ପ୍ରଶ୍ନ ଉଠିଲାଣି । ସମସ୍ତ ନମ୍ବରପ୍ଲେଟରେ ଏକ ନିର୍ଦ୍ଦିଷ୍ଟ କ୍ରମିକ ନମ୍ବର ଓ ହୋଲୋଗ୍ରାମ ଥିବାବେଳେ ଏଭଳି ଗୁରୁତର ତ୍ରୁଟି କିଭଳି ହେଲା ଓ ପରିବହନ ବିଭାଗ ତାହାକୁ ଠାବ କରିପାରିଲା ନାହିଁ ତାହାକୁ ନେଇ ଚାଳକମାନେ ସନ୍ଦେହରେ । କାଳେ ଆଉ କାହାର
କେତେବେଳେ ଏଭଳି ଜୋରିମାନା ମେସେଜ ଆସିବ ତାହାକୁ ନେଇ ଚିନ୍ତାରେ ଅଛନ୍ତି ।

ସେହିଭଳି ରାଜଧାନୀର ଆଉ ଜଣେ ଚାରିଚକିଆ ଯାନ ମାଲିକଙ୍କ ନିକଟକୁ ତୁରନ୍ତ ନିଜ ଗାଡିରେ ଏହି ହାଇ ସିକୁ୍ୟରିଟି ନମ୍ବରପ୍ଲେଟ ଲଗାଇବାକୁ ମେସେଜ ଆସିଛି । ଯଦି ନମ୍ବର ନଲଗାଇବ ତେବେ ୫ହଜାର ଟଙ୍କା ଜୋରିମାନା ଲାଗିବାର ଭୟ ଦେଖାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସମ୍ପୃକ୍ତ ଯାନ ମାଲିକ ବହୁଦିନ ପୂର୍ବରୁ ନିଜ ଗାଡିରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇ ସାରିଛନ୍ତି । ଏଭଳି ମେସେଜ ପାଇବାପରେ ସମ୍ପୃକ୍ତ ବ୍ୟକ୍ତି ଏବେ ଏ ସଂକ୍ରାନ୍ତରେ ପରିବହନ ବିଭାଗର ତଳୁ
ଉପର ପର୍ଯ୍ୟନ୍ତ ଅଧିକାରୀଙ୍କୁ ଟୁଇଟ କରି ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ପ୍ରାୟ ଲକ୍ଷାଧିକ ଗାଡିରେ ହାଇସିକୁ୍ୟରିଟି ନମ୍ବରପ୍ଲେଟ ଲାଗିନାହିଁ । ଏହାଛଡା କେତେକ ଗାଡିରେ ବି ଅନ୍ୟ ଯାନର ନମ୍ବରପ୍ଲେଟ ଲଗାଇ ଚଳାଯାଉଛି । ଏଭଳି ଜାଲ ନମ୍ବର ପାଇଁ ଅସଲ ଗାଡିମାଲିକମାନଙ୍କ ନିକଟକୁ ଜୋରିମାନା ମେସେଜ ଆସୁଛି । ଏହି ଜାଲ ନମ୍ବରଗୁଡିକୁ ଧରିବାପାଇଁ ପରିବହନ ବିଭାଗ ନିକଟରେ ଆବଶ୍ୟକ ସଂଖ୍ୟକ ମାନବସମ୍ବଳ କିମ୍ବା ସାଧନ ନାହିଁ । ଇତି ମଧ୍ୟରେ ନକଲି ହାଇ ସିକୁ୍ୟରିଟି ନମ୍ବର ପ୍ରସ୍ତୁତକାରୀମାନେ ମଧ୍ୟ ସକ୍ରିୟ ହେଲେଣି । ଯେଉଁସବୁ ପୁରୁଣା ଯାନ ପରିବହନ ବିଭାଗ ନିକଟରେ ନିଜର ପୁନଃ ପଞ୍ଜିକରଣ କରି ନାହାନ୍ତି ସେମାନଙ୍କ ଉପରେ ଜୋରିମାନା ଅର୍ଥ ବଢିବାରେ ଲାଗିଛି । ଫଳରେ ବିପୁଳ ପରିମାଣର ଜୋରିମାନା ଦେଇ ପୁରୁଣା ଗାଡିକୁ ପଞ୍ଜିକରଣ କରିବା ବଦଳରେ କିଛି ଗାଡିମାଲିକ ଏବେ ନକଲି ହାଇସିକୁ୍ୟରିଟି ନମ୍ବର ଲଗାଇ ଚଳାଇବା ଆରମ୍ଭ କରିଛନ୍ତି ।

ଏମାନଙ୍କୁ କିଭଳି ଧରାଯିବ ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ମୋଟାମୋଟି ଭାବେ ଶହଶହ ଟଙ୍କା ବ୍ୟୟରେ ହାଇସିକୁ୍ୟରିଟି ନମ୍ବର ପ୍ଲେଟ ଲଗାଇ ଲୋକେ ନିଜ ନିଜ ଗାଡିର ସୁରକ୍ଷାକୁ ନେଇ ଆଶ୍ୱସ୍ତ
ହୋଇଥିବାବେଳେ ଏବେ ଯେଉଁଭଳି ଭାବେ ଅନ ଜିଲ୍ଲାରୁ ଜୋରିମାନା ମେସେଜ ଆସୁଛି ଓ ନମ୍ବରପ୍ଲେଟ ଲଗାଇଥିବା ଲଗାଇଥିବା ଲୋକଙ୍କ ନିକଟକୁ ଏହା ଲଗାଇନଥିବାର ମେସେଜ ଆସିବାପରେ ଏବେ ପୁଣିଥରେ ଗାଡିମାଲିକଙ୍କ ଚିନ୍ତା
ବଢିବାରେ ଲାଗିଛି ।