ଝାଡେଶ୍ବର କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲ ଓ୍ବାର୍ଡେନ ପିଟିଥିବା ଅଭିଯୋଗ
ବାଲେଶ୍ବର (ସଂକେତ ଟିଭି) ହଷ୍ଟେଲ ଓ୍ବାର୍ଡେନ ପିଟିବାରୁ ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ସହର ଉପକଣ୍ଠ ସୁତେଇସ୍ଥିତ ଝାଡେଶ୍ବର ଯୁକ୍ତ ଦୁଇ ଆବାସିକ କଲେଜର ହଷ୍ଟେଲ ପରିସରରୁ ଆଜି ସକାଳେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସେ ନିଜ ଓଢଣୀରେ ଫେନରେ ଫାସି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ମୃତ ଛାତ୍ରୀ ଜଣକ ସମୀକ୍ଷା ମହାନ୍ତି (୧୭), ନିକଟରେ ସେ ସେଠାରେ ସମର କୋର୍ସ କରିବା ସହ +୨ ପ୍ରଥମ ବର୍ଷରେ ନାମ ଲେଖାଇଥିଲେ । ତାଙ୍କ ଘର ଔପଦା ବ୍ଲକ ଇଶ୍ବରପୂର ପଞ୍ଚାୟତ ବାଙ୍କିପଦା ଗାଁରେ ବୋଲି ଜଣାପଡିଛି ।
ଏହି ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଛାତ୍ରୀଙ୍କ ଅଭିଭାବକ ଦାୟୀ କରିଛନ୍ତି । ଛାତ୍ରୀଙ୍କ ମା ଅଭିଯୋଗ କରିଛନ୍ତି ଯେ କୌଣସି ଏକ ଘଟଣାକୁ ନେଇ ହଷ୍ଟେଲ ଓ୍ବାର୍ଡେନ ତାଙ୍କ ଝିଅଙ୍କୁ ଦୁଇ ଦିନ ପୂର୍ବରୁ ମାଡ ମାରିଥିଲେ । ଏହି ଘଟଣାକୁ ନେଇ ସେ ମାନସିକ ଚାପରେ ଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିଛି ବୋଲି ତାଙ୍କ ମା ଅଭିଯୋଗ କରିଛନ୍ତି ।
ସେପଟେ ଛାତ୍ରୀଙ୍କ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଭାବରେ ଦାୟୀ ବୋଲି ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ସେ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିଳ୍ପାଞ୍ଚଳ ଥାନାରେ ଏତଲା ଦେଇଥିବା ଜଣାପଡିଛି ।
ସେପଟେ ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ଭୁମିକା ନଥିବା କହିଛନ୍ତି କଲେଜର ପରିଚାଳନା ନିର୍ଦେଶକ ସର୍ବେଶ୍ବର ସାନ୍ତରା । ଏହା ସହିତ ସେ ହଷ୍ଟେଲ ଓ୍ବାର୍ଡେନ ମାଡ ମାରିବା ଘଟଣାକୁ ମଧ୍ଯ ଅସ୍ବୀକାର କରିଛନ୍ତି ।
ସେପଟେ ଏହି ଘଟଣାର ଖବର ପାଇ ଶିଳ୍ପାଞ୍ଚଳ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହା ସହିତ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ।