କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ସର୍ଭେ କାମ
ଭୁବନେଶ୍ବର (ସଂକେତ ଟିଭି ) ଭୁବନେଶ୍ବର-କଟକ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଭୂମି ବୈଷୟିକ ଯାଞ୍ଚ ଆରମ୍ଭ ହୋଇଛି । କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ବରର ରାଜଭବନ ଛକ ଯାଏ ୨୪ ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ। ୩୦ମିଟର ଖୋଳାଯାଇ ମାଟି ପରୀକ୍ଷା କରାଯାଉଛି, ଏହାସହ ୧୦୦ଫୁଟ ମାଟି ତଳର ସ୍ଥିତି ନେଇ ସର୍ଭେ କରାଯାଉଛି। ପ୍ରତି ଦେଢ଼ ମିଟର ତଳର ମାଟିକୁ ପରୀକ୍ଷା କରାଯିବ। ଲ୍ୟାବରେ ପରୀକ୍ଷା ପରେ ଡିପିଆର ପ୍ରସ୍ତୁତ କରି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ରାଜ୍ୟ ସରକାରଙ୍କୁ ଦେବ। ତ୍ରିଶୁଳିଆରୁ ବାରଙ୍ଗ ମଝିରେ ୪ଟି ସର୍ଭେ ଟିମ୍ କାମ କରୁଛନ୍ତି।ଦିଲ୍ଲୀ ମେଟ୍ରୋ ରେଲୱେ କର୍ପୋରେସନର ଇଞ୍ଜିନିୟର ସର୍ଭେ କରୁଛନ୍ତି। ଅଗଷ୍ଟ ସୁଦ୍ଧା ସର୍ଭେ କାମ ସରିବା ସମ୍ଭାବନା ରହିଛି। ଭୁବନେଶ୍ୱର ମେଟ୍ରୋ ଟ୍ରେନ ସର୍ଭେ ଦାୟିତ୍ୱ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ନେଇଛି ।
ଏନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ ଡିପିଆର୍ ପ୍ରସ୍ତୁତି ଚାଲିଛି। କେଉଁ ରୁଟରେ ମେଟ୍ରୋ ଟ୍ରେନ୍ ଯିବ ତାହା ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ । ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ୍ ଯିବା ପାଇଁ ଯୋଜନା କରାଯାଉଛି।
ସୂଚନାଯୋଗ୍ୟ, କଟକ-ଭୁବନେଶ୍ବର-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୁଳିଆରୁ ଭୁବନେଶ୍ବର ବିମାନବନ୍ଦର ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ପ୍ରକଳ୍ପ କରିବେ। ଏନେଇ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ।