ଘାଟିରୁ ୩୦ ଫୁଟ ତଳକୁ ଖସି ପଡିଲା ବସ୍, ୧୫ ଆହତ

ବାରିପଦା (ସଂକେତ ଟିଭି) ଯାତ୍ରୀବାହୀ ବସ୍‌କୁ ଏକ ଚାଉଳ ବୋଝେଇ ଟ୍ରକ ପଛରୁ ଧକ୍କା ଦେବାରୁ ବସଟି ଭାରସାମ୍ୟ ହରାଇ ଗୋଡଭଙ୍ଗା ଘାଟିରୁ ୩୦ ଫୁଟ ତଳକୁ ଖସି ପଡ଼ିଛି । ଆଜି ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଥାନା ଅନ୍ତର୍ଗତ କରଞ୍ଜିଆ-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଭୁବନେଶ୍ବରକୁ ଯାଉଥିଲା ।

ସୂଚନା ଅନୁସାରେ; ସାଇଶଙ୍କର ନାମକ ବସ୍‌ଟି ଆଜି ରାତିରେ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ଭୁବନେଶ୍ବର ଯାଉଥିଲା। ବସ୍‌ରେ ପାଖାପାଖି ୪୫ ଜଣ ଯାତ୍ରୀ ଥିଲେ। ତେବେ ରାତି ପ୍ରାୟ ଗୋଟାଏ ବେଳେ ଆନନ୍ଦପୁର ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିରେ ଏକ ଟ୍ରକ୍‌ ବସ୍‌ର ପଛକୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ଓଲଟି ପଡ଼ିବା ସହ ବସ୍‌ଟି ମଧ୍ୟ ଘାଟିର ପ୍ରାୟ ୩୦ ଫୁଟ୍‌ ତଳକୁ ଖସିପଡ଼ିଥିଲା।

ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଏ ସମ୍ପର୍କରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ସମସ୍ତ ଗୁରୁତର ଓ ଆହତମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲକୁ ଅଣା ଯାଇଥିଲା । ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗୁରୁତରଙ୍କ ମଧ୍ୟରୁ ଜଣକୁ କଟକ ସ୍ଥାନାନ୍ତରିତ କରାଯାଇଛି । ଆନନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।