ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ ସମେତ ୬ ମୃତ

କାଠମାଣ୍ଡୁ (ସଂକେତ ଟିଭି) ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଯାଉଥିବା ହେଲକପ୍ଟର ନିଖୋଜ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୫ଜଣ ବିଦେଶୀ ନଗରିକଙ୍କ ସହିତ ୬ଜଣ ଯାତ୍ରା କରୁଥିଲେ । ବିଦେଶୀ ଯାତ୍ରୀଙ୍କ ମଧ୍ଯରେ ମେକ୍ସିକୋର ନାଗରିକ ହୋଇଥିବା ସୂଚନା ମିଳିଛି । ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରଠୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ଦିନ ୧୦.୧୦ ମିନିଟରେ ମନାଙ୍ଗ ଏୟାରଲାଇନ୍ସର ହେଲିକପ୍ଟର ଉଡ଼ାଣ ପରେ ନିଖୋଜ ହୋଇଯାଇଥିଲା । ଉଡ଼ାଣ ଭରିବାର ୧୫ ମିନିଟ୍ ପରେ ହେଲିକପ୍ଟରଟି ନିଖୋଜ ହୋଇଯାଇଛି । କୋଶୀ ପ୍ରାନ୍ତ ପୋଲିସ ଡିଆଇଜି ରାଜେଶନାଥ ବସ୍ତୋଲାଙ୍କ ସୂଚନା ଅନୁଯାୟୀ, ସୋଲୁଖୁମ୍ବୁ ଜିଲ୍ଲାର ଲିଖୁପିକେ ଅନ୍ତର୍ଗତ ଲାମଜୁରା ଗ୍ରାମରେ ବିମାନ କ୍ରାସ ହେବାନେଇ ସ୍ଥାନୀୟବାସୀ ସୂଚନା ଦେଇଥିଲେ । ପାହାଡ଼ର ଶୀର୍ଷରେ ଥିବା ଏକ ଗଛ ସହ ଧକ୍କା ହେବାରୁ ବିମାନଟି ଦୁର୍ଘଟଣାର ଶିକାର ହୋଇଛି । ଉଦ୍ଧାର ହୋଇଥିବା ମୃତଦେହ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇ ପାରିନାହିଁ ।

ମନାଙ୍ଗ ଏୟାରଲାଇନ୍ସର ସଞ୍ଚାଳନ ଏବଂ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନରେ କ୍ୟାପଟେନ ଚେଟ ବାହାଦୁର ଗୁରୁଙ୍ଗଙ୍କ ସହ ପାଞ୍ଚ ଜଣ ମେକ୍ସିକୋ ନାଗରିକ ଥିଲେ । ଦୁର୍ଘଟଣାର ଶିକାର ହୋଇଥିବା ହେଲିକେପ୍ଟରଟି ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଦୁନିଆର ସର୍ବୋଚ୍ଚ ଶିଖର ଏଭରେଷ୍ଟକୁ ଯାଉଥିଲା । ସୋଲୁଖମ୍ବୁ ଜିଲ୍ଲାର ସୁରକେ ବିମାନବନ୍ଦରରୁ ଏହା ଉଡ଼ାଣ ଭରିଥିଲା । ୧୨୦୦୦ ଫୁଟରୁ ଅଧିକ ଉଚ୍ଚକୁ ଯିବା ପରେ କଣ୍ଟ୍ରୋଲ ଟାୱାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଦୁର୍ଘଟଣା ସୂଚନା ପାଇବା ପରେ ଘଟଣାସ୍ଥଳକୁ ଅଲ୍ଟିଟ୍ୟୁଡ ଏୟାର ହେଲିକପ୍ଟର ପଠାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।