ଏକ୍ସପ୍ରେସ ଟ୍ରେନର ସିଟ୍ ତଳୁ ଜବତ ହେଲା ୨୦୬ କେଜି ଗଞ୍ଜେଇ, ୫ ଗିରଫ

ରାୟଗଡ଼ା (ସଂକେତ ଟିଭି) ବିଶାଖାପାଟଣା-ଦୁର୍ଗ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ୨୦୬ କେଜିର ଗଞ୍ଜେଇ ଜବତ ହୋଇଛି । ଏହାସହିତ ଅବକାରୀ ବିଭାଗ ୫ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ୫ ଜଣ ହେଲେ ଉତ୍ତରପ୍ରଦେଶ ରାଜ୍ୟ ଆଲିଗଡ ସହରର ଜାଫରୁଦ୍ଦିନ ମଲ୍ଲିକ, ଇମରାନ ଖାନ୍, ଅସଲମ ଖାନ, ତାହିର ଖାନ୍, ଅନଦାନ ମହମ୍ମଦ। ସେମାନଙ୍କ ଠାରୁ ୨୦୬ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ।

ସୂଚନା ଅନୁଯାୟୀ, ବିଶାଖାପାଟଣା-ଦୁର୍ଗ ଟ୍ରେନର ଏ-୧ ବଗିର ବିଭିନ୍ନ ସିଟ୍ ତଳେ ୧୪ ଟି ବ୍ୟାଗରେ ଚତୁରତାର ସହ ଗଞ୍ଜେଇ ରଖି ଚାଲାଣ କରାଯାଉଥିଲା। ଆନ୍ଧ୍ରପ୍ରଦେଶ ରାଜ୍ୟର ପାର୍ବତୀପୁରମ ଷ୍ଟେସନ ଠାରେ ଏହି ଗଞ୍ଜେଇ ଭର୍ତ୍ତି ବ୍ୟାଗ ଲୋଡ୍ କରି ଛତିଶଗଡ଼ ରାଜ୍ୟର ରାୟପୁର ଚାଲାଣ କରାଯାଉଥିଲା। ୫ ଜଣ ବ୍ୟକ୍ତି ଟ୍ରେନର ଏସି ବଗିରେ ଗଞ୍ଜେଇ ଚାଲାଣ କରୁଥିଲେ।

ତେବେ ଟ୍ରେନରେ ପାଟ୍ରୋଲିଂ କରୁଥିବା ରେଳବାଇ ପୋଲିସ ଏଏସଆଇ ଜେ.ଏସ.ନାରାୟଣଙ୍କ ନେତୃତ୍ୱରେ ଯାଞ୍ଚ କରିବା ସମୟରେ ୧୪ ଟି ବ୍ୟାଗରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇ ନେଇ ଯାଉଥିବା ୫ ଜଣଙ୍କୁ ରେଳବାଇ ପୋଲିସ ଟ୍ରେନ ଭିତରେ ଧରିଥିଲା। ସେମାନଙ୍କୁ ରାୟଗଡା ରେଳ ଷ୍ଟେସନ ଠାରେ ଓହ୍ଲାଇ ଅବକାରୀ ବିଭାଗକୁ ଜିମା ଦେଇଥିଲେ।