କୁଆଁରୀ ଝିଅର ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନା, ୨ ଅଟକ

ବାରିପଦା (ସଂକେତ ଟିଭି) ଶବର ପୋଡା ମାଂସ ଖାଇବାକୁ ନେଇ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣାରେ ଘଟିଯାଇଛି।

ଅଟକ ଦୁଇ ଅଭିଯୁକ୍ତ ହେଲେ ବଡସାହି ଥାନା ଅଧୀନ ଦାନ୍ତୁଣୀ ଗ୍ରାମର ସୁନ୍ଦର ମୋହନ ସିଂ(୫୮) ଓ ନରେନ୍ଦ୍ର ସିଂ(୨୫)। ସୁନ୍ଦର ମୋହନ ଗାଁରେ ଗୁଣିଆ ଭାବେ ଝଡାଫୁଙ୍କା କରନ୍ତି। ତେବେ ଗୁଣି ପାଇଁ ନୁହେଁ ମହୁଲି ମଦ ନିଶାରେ ଦରପୋଡା ମାଂସ ଖାଇଦେଇଥିବା ସ୍ବୀକାର କରିଛନ୍ତି। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି।

ସୂଚନା ଅନୁସାରେ, ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା କେସ ନଂ ୪୦/୨୩ରେ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା।

ସେଠାରୁ ଶବ ବ୍ୟବଚ୍ଛେଦ ହୋଇ ଘରକୁ ଆଣିବା ପରେ ଶବ ସତ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ। ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବର ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ। ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ ଏନେଇ ଉତ୍ୟକ୍ତ ଲୋକେ ମାଡ ମାରିବା ସହ ଗାମୁଛାରେ ବାନ୍ଧି ଆଣିଥିବା ମାଂସକୁ ଉଦ୍ଧାର କରିଥିଲେ। ଫଳରେ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା ।